ନାବାଳିକା ଅପହରଣକାରୀ ଫେରାର ଅଭିଯୁକ୍ତକୁ ଗିରଫ କରିବା ସହ ଚାନ୍ଦବାଲି ଥାନା ଆଇ.ଆଇ.ସିଙ୍କ ନିଲମ୍ବନ ଦାବି କରି ବିଜେପି ତରଫରୁ ରାସ୍ତାରୋକ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରୁ ଜଣେ ନାବାଳିକା ଅପହରଣକାରୀ ଗିରଫ ଅଭିଯୁକ୍ତ ଫେରାର ହେବା ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଫେରାର ଅଭିଯୁକ୍ତକୁ ପୋଲିସ ଏ ପର୍ଯ୍ୟନ୍ତ ଧରିବାରେ ସକ୍ଷମ ହୋଇପାରିନାହିଁ। ଅନ୍ୟପଟେ କାର୍ଯ୍ୟରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ ବିଭାଗ ତରଫରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏହାର ପ୍ରତିବାଦ କରିବା ସହ ଚାନ୍ଦବାଲି ଥାନା ଆଇ.ଆଇ.ସିଙ୍କ ନିଲମ୍ବନ ଦାବି କରି ବିଜେପି ତରଫରୁ ରାସ୍ତାରୋକ କରାଯାଇଛି। ଭଦ୍ରକ – ଚାନ୍ଦବାଲି ରାଜ୍ୟ ରାଜପଥର ନାଲଗୁଣ୍ଡାଠାରେ ବିଜେପି ନେତା କାହ୍ନୁ ଚରଣ ବେହେରାଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ସାମିଲ ହୋଇ ଟାୟାର ଜାଳି ପ୍ରତିବାଦ କରିବା ସହ ରାସ୍ତାରୋକ କରିଛନ୍ତି। ନାଲଗଫଳରେ ଭଦ୍ରକରୁ ଚାନ୍ଦବାଲି ଓ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ବସ ସହ ଚାରି ଓ ଦୁଇ ଚକିଆ ଗାଡି ରାସ୍ତାର ଉଭୟ ପାଶ୍ୱରେ ଅଟକି ରହିଥିଲା। ରାସ୍ତାରୋକ ପାଇଁ ଲୋକମାନଙ୍କର ଯା’ଆସରେ ବହୁ ଅସୁବିଧା ସୃଷ୍ଟି ହେବାସହ ଯାତାୟାତ ସମ୍ପୂର୍ଣ ଠପ ହୋଇ ଯାଇଥିଲା।
![](https://i0.wp.com/kalingajyoti.com/wp-content/uploads/2020/10/bd-1.jpg?resize=1024%2C473&ssl=1)
ଏଠାରେ ସୂଚନା ଯୋଗ୍ୟ ଯେ ପଳାଶପୁର ଗାଁର ଜଣେ ନାବାଳିକାକୁ ବିଜୟନଗର ପଞ୍ଚାୟତର ଗୋବିନ୍ଦପୁର ଗାଁର ଅଜୟ ନାୟକ ଓ ତାର ୨ ଜଣ ସହଯୋଗୀ ଅପହରଣ କରିଥିବାର ଅଭିଯୋଗ ପରେ ଚାନ୍ଦବାଲି ପୋଲିସ ନିମାପଡାରୁ ଅଭିଯୁକ୍ତ ଯୁବକ ଓ ନାବାଳିକାକୁ ଗିରଫ କରିଥିଲା। ହେଲେ ଗିରଫ ଆସାମୀ ଜଣକ ଗତ ୨ ତାରିଖ ରାତିରେ ଥାନାର ପଛପଟ ଝରକାକୁ ତାଡି ଚମ୍ପଟ ମାରିଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ ଫେରାର ଅଭିଯୁକ୍ତଙ୍କୁ ଗିରଫ କରି ପାରିନାହିଁ ।