ଭୁବନେଶ୍ୱର ୦୭/୧୨: ଟାଟାରେ ଚାକିରି କରାଇ ଦେବା ନାଁରେ ସାରା ଦେଶରୁ କୋଟି କୋଟି ଟଙ୍କା ଲୁଟିଛି ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ। ଏ ବିଷୟରେ ବ୍ୟକ୍ତିଗତ ସଚିବ (ପିଏସ୍) ଡେଭିଡ୍ ପିଟରଙ୍କ ଠାରୁ ଯଥେଷ୍ଟ ତଥ୍ୟ ପାଇ ସାରିଛି କ୍ରାଇମ୍ବ୍ରାଞ୍ଚ। ଏବେ କ୍ରାଇମ୍ବ୍ରାଞ୍ଚର ଫୋକସ୍ରେ ମୁଖ୍ୟ ଅଭିଯୁକ୍ତ ଆକାଶ। ତାଙ୍କୁ ରିମାଣ୍ଡରେ ଆଣି ଠକେଇର ଚେର ଖୋଜିବାକୁ ଅଣ୍ଟା ଭିଡିଛି କ୍ରାଇମ୍ବ୍ରାଞ୍ଚ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଭୟଙ୍କୁ ଗିରଫ କରିଥିଲା। ଏହି ସମୟରେ ଭିଜିଲାନ୍ସ ଜାଣିବାକୁ ପାଇଥିଲା ଅଭୟ କିଛି ସମ୍ପତ୍ତି ତାଙ୍କ ପୁଅ ଆକାଶ ନାଁରେ କରିଛନ୍ତି। ଭିଜିଲାନ୍ସ ଆକାଶଙ୍କୁ ସହ-ଅଭିଯୁକ୍ତ ଭାବେ ଗିରଫ ଜେଲ୍ ପଠାଇଥିଲା । ପରେ ଦୁଇ ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲା। ସେପଟେ ଟାଟା ପକ୍ଷରୁ ଦିଆଯାଇଥିବା ଏତଲାରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରି ଗୋପାଳପୁର ବିଧାୟକ ପ୍ରଦୀପଙ୍କୁ ଗିରଫ କରିଥିଲା । ତଦନ୍ତ ବେଳେ କ୍ରାଇମ୍ବ୍ରାଞ୍ଚ ଜାଣିବାକୁ ପାଇଥିଲା ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇରେ ମୁଖ୍ୟ ଅଭିଯୁକ୍ତ ହେଉଛି ଆକାଶ ।
ସହ-ଅଭିଯୁକ୍ତ ହେଉଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏହି ତଥ୍ୟ ଜଣା ପଡିବା ପରେ କ୍ରାଇମ୍ବ୍ରାଞ୍ଚ ତାଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରିଛି। କ୍ରାଇମବ୍ରାଞ୍ଚକୁ ପିଏସ୍ ଡେଭିଡ୍ ପିଟର କହିଛନ୍ତି ଆକାଶ ଯେଉଁ ଟଙ୍କା କାରବାର କରୁଥିଲେ ସେ ବିଷୟରେ ତାଙ୍କୁ କିଛି ଜଣାଉନଥିଲେ। ପିଟରଙ୍କୁ ଆକାଶ ମାତ୍ର ୨୬ ହଜାର ଟଙ୍କା ଦେଇ ଚାକିରିରେ ରଖିଥିଲେ ।
ସେପଟେ ଦିଲ୍ଲୀ ତାଜ୍ ପ୍ୟାଲେସ୍ରେ ରହଣିର ଗୁମର ବି ଖୋଲିଛନ୍ତି ପିଟର। ଅଗଷ୍ଟ ୨୬ରୁ ୨୮ ଯାଏ ପାଠକଙ୍କ ସହ ବିଧାୟକ ପ୍ରଦୀପ ଦିଲ୍ଲୀର ତାଜ୍ ହୋଟେଲ୍ରେ ରହିଥିଲେ। ସେଠାରେ ଏମାନେ କିଛି ପ୍ରତିଷ୍ଠିତ ବ୍ୟବସାୟୀ ଓ ନେତାଙ୍କୁ ଏକାଧିକ ଥର ଭେଟିଥିଲେ। ଉଭୟ ପରିବାର ଏକାଠି ଆସନ୍ତାବର୍ଷ ପାଇଁ ଏକ ବଡ଼ ଡିଲ୍ ହାତେଇବା ଚକ୍କରରେ ଥିଲେ। ତେବେ ସେ ଡିଲ୍ ବାବାଦରେ ସ୍ପଷ୍ଟ ତଥ୍ୟ ତାଙ୍କ ପାଖରେ ନଥିବା ପିଟର ତଦନ୍ତକାରୀ ଟିମ୍କୁ କହିଛନ୍ତି। ଏହାବାଦ୍ ରାଜସ୍ଥାନର ରିସୋର୍ଟରେ ବିବାହ ପ୍ଲାନିଂ ପାଇଁ ଇଭେଣ୍ଟ ମ୍ୟାନେଜର ସହ ସେଠାରେ ହୋଇଥିବା ଆଲୋଚନା ସଂପର୍କରେ ସୁଚନା ବି ଦେଇଛନ୍ତି । ସେ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଟଙ୍କା କାରବାର ଉପରେ ମଧ୍ୟ କିଛି ତଥ୍ୟ ରଖିଥିବା ଜଣାପଡି଼ଛି।
ପିଟର ଅଧିକାଂଶ ସମୟରେ ଆକାଶଙ୍କ ପାଖରେ ଛାଇ ଭଳି ରହୁଥିଲେ । ତେଣୁ ଆକାଶଙ୍କ ଜାଲିଆତିର ସବୁ ଗୁମର ଖୋଲିଛନ୍ତି । ଆକାଶଙ୍କ ସହ ପିଟର କେମିତି ପରିଚୟ ହେଲା? ସେମାନଙ୍କ ସମ୍ପର୍କ କେତେ ଦିନର? ଆକାଶଙ୍କ ଜାଲ୍ ନେଟୱାର୍କ ସହ ପିଟର କେତେ ସମ୍ପୃକ୍ତ? ଆକାଶ ଏତେ ଟଙ୍କା କେଉଁଠୁ ଆଣିଲେ? ଶିକ୍ଷିତ ବେକାରଙ୍କଠୁ ଠକିଥିବା ଟଙ୍କାକୁ କେଉଁ ସବୁ କ୍ଷେତ୍ରରେ ଖଟାଇଛନ୍ତି? ଆକାଶଙ୍କ ଠକେଇରେ ଆଉ କିଏ ସହଯୋଗ କରୁଥିଲେ କି? ତଦନ୍ତକାରୀ ଟିମ୍ ପିଟର୍ଙ୍କଠାରୁ ଏସବୁ ଦିଗରେ ତଥ୍ୟ ପାଇଛି । ଯାହା ଆଧାରରେ କ୍ରାଇମ୍ବ୍ରାଞ୍ଚ ତଦନ୍ତକୁ ଆଗେଇବ । ଆକାଶଙ୍କ ଠକେଇର ଚେର ଖୋଜିବ ।
ଅନ୍ୟପଟେ ୩ ଦିନିଆ ରିମାଣ୍ଡର ଅବଧି ସରିବା ପରେ ପାଠକ ବାପ-ପୁଅ ଏବେ ଝାରପଡ଼ା ଜେଲରେ ଅଛନ୍ତି । ଠକେଇରୁ ଅଧିକ ତଥ୍ୟ ପ୍ରମାଣ ଯୋଗାଡ ପାଇଁ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ଆକାଶ ଓ ପ୍ରଦୀପଙ୍କୁ ସାମ୍ନାସାମ୍ନି ଜେରା କରିପାରେ । ଏନେଇ ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ । ବାପା ଅଭୟକାନ୍ତଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ମଧ୍ୟ କ୍ରାଇମ୍ବ୍ରାଞ୍ଚର ଜେରାର ସାମ୍ନା କରିବାକୁ ପଡି଼ପାରେ ବୋଲି ସୂଚନା ମିଳିଛି ।