ହାଇଦ୍ରାବାଦ : ଭାରତ ବିରୁଦ୍ଧରେ ଯଦି କୌଣସି ଦେଶ ଯୁଦ୍ଧ ଆରମ୍ଭ କରେ, ତେବେ ଏହାର ଉଚିତ ଜବାବ୍ ଦେବାକୁ ଦେଶ ବେଶ୍ ସକ୍ଷମ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଯୁଦ୍ଧ କୌଶଳ ଓ ଶୈଳୀରେ ପରିବର୍ତ୍ତନ ଘଟୁଥିବା ଦର୍ଶାଇ ଶ୍ରୀ ସିଂହ ବିମାନ ବାହିନୀର ନବନିଯୁକ୍ତ ଫ୍ଲାଇଙ୍ଗ୍ ଅଫିସରମାନଙ୍କୁ ଏହି ନୂଆ ଶୈଳୀ ଅନୁସାରେ ନିଜକୁ ପ୍ରସ୍ତୁତ କରିବାକୁ ଆହ୍ୱାନ ଦେଇଛନ୍ତି।
ସେ କହିଛନ୍ତି ସାଇବର୍ ସ୍ପେସ୍ ଭଳି ନୂଆ ନୂଆ ଯୁଦ୍ଧକୌଶଳ ଅନୁସାରେ ସେମାନେ ନିଜକୁ ପ୍ରସ୍ତୁତ କରିବାକୁ ହେବ।
ହାଇଦ୍ରାବାଦର ଡୁଣ୍ଡିଗଲ୍ ନିକଟରେ ଅବସ୍ଥିତ ଏୟାର୍ ଫୋର୍ସ ଏକାଡେମୀଠାରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରି ସେ କହିଛନ୍ତି, ଭବିଷ୍ୟତର ଚ୍ୟାଲେଞ୍ଜ୍ ଗୁଡ଼ିକର ମୁକାବିଲା ପାଇଁ ଫ୍ଲାଇଙ୍ଗ୍ ଅଫିସରମାନେ ନିଜକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବାକୁ ପଡ଼ିବ। ଏଥିପାଇଁ ସେମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣେଇବାକୁ ହେବ। ଭାରତ ଓ ଚୀନ୍ ମଧ୍ୟରେ ସମ୍ପ୍ରତି ହୋଇଥିବା ସଂଘର୍ଷ ବିଷୟ ଉଲ୍ଲେଖ କରି ସେ କହିଛନ୍ତି, ଭାରତ ସର୍ବଦା ଏକ ଶାନ୍ତି ପ୍ରିୟ ରାଷ୍ଟ୍ର ଭାବେ ରହିଆସିଛି। କିନ୍ତୁ ଯଦି କୌଣସି ଦେଶ ଏହାର ଶାନ୍ତି ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରେ, ତାହାହେଲେ ତାହାର ଜବାବ୍ ଦେବାକୁ ଭାରତ ଯଥେଷ୍ଟ ସକ୍ଷମ। ବିଭିନ୍ନ ସାଗମ୍ରୀ ପରିବହନରେ ଭାରତୀୟ ବିମାନ ବାହିନୀର ସେବା ମନୋଭାବକୁ ସ୍ମରଣ କରି ମନ୍ତ୍ରୀ କହିଛନ୍ତି, ବିମାନ
ବାହିନୀ ଏକ ବହୁମୁଖୀ ଭୂମିକା ନିର୍ବାହନ କରିଆସୁଛି। ମନ୍ତ୍ରୀ ପ୍ରାୟ ୧୦୦ ଜଣ ଫ୍ଲାଇଟ୍ କ୍ୟାଡେଟ୍ଙ୍କୁ ୱିଙ୍ଗ୍ସ୍ ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ କ୍ୟାଡେଟ୍ ବିଭିନ୍ନ ପଡ଼ୋଶୀ ଦେଶରୁ ରହିଛନ୍ତି।