ନୂଆଦିଲ୍ଲୀ: ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଭାରତ ଟିକା ଦେବା ଆରମ୍ଭ କରିବ। ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ଏଭଳି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। କରୋନା ଭୂତାଣୁ ବିରୋଧରେ ସ୍ୱାସ୍ଥ୍ୟ ବିଭାଗର ଉଦ୍ୟମକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶଂସା କରି କହିଥିଲେ ଯେ, ଦେଶବ୍ୟାପୀ ଲକଡାଉନ ଏବଂ ଅଭୂତପୂର୍ବ ପରିସ୍ଥିତି ସତ୍ତ୍ବେ ଭାରତ ଦୁଇଟି ଟିକା ଉପରେ କାମ କରିବାରେ ସକ୍ଷମ ହୋଇଥିଲା। ଏବେ ଦେଶରେ ଦୁଇଟି ଟିକାର ଟୀକାକରଣ ସଫଳ ହୋଇଛି। ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଟିକା ଦେବା ପାଇଁ ଆମେ ସକ୍ଷମ ହେବୁ। ଲୋକମାନେ କରୋନା କଟକଣା ଅନୁସରଣ କରିବା ଜାରି ରଖିବା ଅତ୍ୟନ୍ତ ଜରୁରୀ ଅଟେ। ଲୋକେ କରୋନା କଟକଣା ଅନୁସରଣ କରୁଥିବାରୁ ଗତ ସାତ ଦିନ ମଧ୍ୟରେ ଦେଶର ୧୮୮ଟି ଜିଲ୍ଲାରେ କୌଣସି ନୂତନ କରୋନାଭାଇରସ୍ ସଂକ୍ରମଣ ହୋଇ ନାହିଁ।
କରୋନା ଟିକା ବିରୋଧରେ ହେଉଥିବା ଗୁଜବକୁ ନେଇ ସେ କହିଛନ୍ତି, କୋଭିଡ -୧୯ ଟୀକାକରଣ ହେତୁ କାହାର ମୃତ୍ୟୁ ହୋଇନାହିଁ। ଯଦି ଟୀକାକରଣ ପରେ ମୃତ୍ୟୁ ହୁଏ, ତେବେ ଏହାର ଅନୁସନ୍ଧାନ କରାଯାଉଛି। ସାମାନ୍ୟ କିଛି ଲୋକଙ୍କ ପାଖରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଛି। ୮୦-୮୫% ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଟୀକା ଦିଆଯାଇଛି ଏବଂ ୨୦-୨୫ରୁ ଅଧିକ ଦେଶକୁ ଟିକା ଦିଆଯାଉଛି। ଅତିକମରେ ୧୮-୨୦ ଟିକା ପ୍ରିକ୍ଲିନିକାଲ୍, କ୍ଲିନିକାଲ୍ ଏବଂ ଉନ୍ନତ ପର୍ଯ୍ୟାୟରେ ଅଛି ଏବଂ ଆସନ୍ତା ମାସରେ ଏହା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି।