![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ଏବେ ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଛି । କେଉଁଠି ଚିକିତ୍ସା ପାଇଁ ଶଯ୍ୟା ମିଳୁ ନାହିଁ ତ ଆଉ କେଉଁଠି ଶଯ୍ୟା ମିଳିଲେ ଅମ୍ଳଜାନ ମିଳୁନି। ଅମ୍ଳଜାନ ଅଭାବରୁ ପ୍ରତିଦିନ ଅନେକ ସଂକ୍ରମିତଙ୍କ ଜୀବନ ଚାଲି ଯାଉଛି। ତେବେ ଅନେକ ସଂକ୍ରମିତ ଘରେ ରହି ମଧ୍ୟ ଚିକିତ୍ସିତ ହେଉଛନ୍ତି । ଘରେ ରହିବା ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ନିଶ୍ବାସପ୍ରଶ୍ବାସ ନେବାରେ କୌଣସି ସମସ୍ୟା ହୁଏ, ତାହାର ସମାଧାନ ପାଇଁ ବିଶେଷଜ୍ଞମାନେ କେତେକ ଟିପ୍ସ ଦେଇଛନ୍ତି ।
ଜଣେ ସଂକ୍ରମିତଙ୍କୁ ମୁହଁ ମାଡ଼ି ତଳେ ଶୁଆଇବା ଦ୍ବାରା ନିଶ୍ବାସ ପ୍ରଶ୍ବାସରେ ଉନ୍ନତି ଆସିବା ସହିତ ଶରୀରକୁ ଅମ୍ଳଜାନ ମିଳି ପାରିଥାଏ। ଏହି ପ୍ରକ୍ରିୟାକୁ ପ୍ରୋନିଂ କୁହାଯାଏ। କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଏହା ବେଶ୍ ଫଳପ୍ରଦ ହେଉଥିବା ବିଶେଷଜ୍ଞମାନେ କହୁଛନ୍ତି। ଜଣେ ବ୍ୟକ୍ତି ନିଜେ ଚାହିଲେ ପ୍ରୋନିଂ କରିପାରିବେ। ଏଥିପାଇଁ ୪-୫ଟି ତକିଆର ଆବଶ୍ୟକତା ରହିଛି।
ପ୍ରୋନିଂ ପାଇଁ ପେଟ ମାଡ଼ି ଶୋଇବା, ବାମ କଡ଼ ଶୋଇବା, ଡାହଣ କଡ଼ ଶୋଇବା ଓ ପୁଣି ଥରେ ପେଟ ମାଡ଼ି ଶୋଇବାକୁ ହୋଇଥାଏ। ଏହିସବୁ ପୋଜିସନ୍ ଅଧଘଣ୍ଟାରୁ ୨ଘଣ୍ଟା ପର୍ଯ୍ୟନ୍ତ କରିପାରିବେ। ହେଲେ ସର୍ବାଧିକ ୩୦ ମିନିଟ୍ ପର୍ଯ୍ୟନ୍ତ ଏଭଳି ପୋଜିସନ୍ରେ ରହିଲେ ସୁଫଳ ମିଳିଥାଏ। ଖାଇବା ପରେ ଘଣ୍ଟାଏ ପର୍ଯ୍ୟନ୍ତ ପ୍ରୋନିଂ କରିବା ଉଚିତ ନୁହେଁ। ଏପରିକି ଯେତିକି ସମୟ ପର୍ଯ୍ୟନ୍ତ ଶରୀର କଷ୍ଟ ସମ୍ଭାଳି ପାରୁଛି, ସେତିକି ସମୟ ପର୍ଯ୍ୟନ୍ତ ଏହାକୁ କରିବା ଭଲ। ଜଣେ ଚାହିଲେ ଭିନ୍ନ ଭିନ୍ନ ସମୟରେ ପ୍ରୋନିଂ କରିବା ସହିତ ଏହାକୁ ସର୍ବାଧିକ ୧୬ ଘଣ୍ଟା ପର୍ଯ୍ୟନ୍ତ କରିପାରିବାରେ କୌଣସି ସମସ୍ୟା ନାହିଁ। ହେଲେ ଏ ସମୟରେ ଶରୀରରେ ଥିବା କୌଣସି କ୍ଷତ ଉପରେ ନଜର ରଖିବାକୁ ହେବ।