ଭୁବନେଶ୍ୱର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ୨୦୨୧-୨୨ ଶିକ୍ଷାବର୍ଷରେ ସମସ୍ତ ଡିଗ୍ରୀ କଲେଜଗୁଡିକର ଯୁକ୍ତ ତିନି (ୟୁଜି) ନାମଲେଖା ସାମ୍ସ ଜରିଆରେ ହେବ । ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯିବ । କିଛି ବିଶ୍ୱବିଦ୍ୟାଳୟ ନିଜର ଯୁକ୍ତ ତିନି ନାମଲେଖା ପରିଚାଳନା କରିଥାନ୍ତି । ଅନ୍ୟ କିଛି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡିକର ସ୍ୱତନ୍ତ୍ର ନାମଲେଖା ପ୍ରକ୍ରିୟା ପରିଚାଳନା କରିଥାନ୍ତି । ଚଳିତ ବର୍ଷ ଯୁକ୍ତ ତିନି ନାମଲେଖା ଆରମ୍ଭ ହେବା ପୂର୍ବରୁ ବିଶ୍ୱବିଦ୍ୟାଳୟଗୁଡିକୁ ସ୍ପଷ୍ଟ କରିବାକୁ କୁହାଯାଇଛି। ଏନେଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।
ଚଳିତ ବର୍ଷର ଯୁକ୍ତ ତିନି ନାମଲେଖା ସାମ୍ସ ପୋର୍ଟାଲ ଦ୍ୱାରା କରିବେ କିମ୍ବା ନାହିଁ ସେନେଇ ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିବାକୁ କହିଛି । ବିଭାଗ ପକ୍ଷରୁ ସଂପୃକ୍ତ ବିଶ୍ୱବିଦ୍ୟାଳୟର କୁଳସଚିବମାନଙ୍କୁ ଚିଠି ଲେଖାଯାଇଛି । ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କଲେଜ ଏବଂ ସେମାନଙ୍କ ପାସ୍ ଓ ଇଲେକ୍ଟିଭ ବିଷୟ ଗୁଡିକର ତାଲିକା ୧୬ ତାରିଖ ଭିତରେ ଦେବାକୁ କୁହାଯାଇଛି ।