ମୁମ୍ବାଇ ୧୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଣ୍ଟିଲିଆ ବୋମା ଆତଙ୍କ ଓ ବ୍ୟବସାୟୀ ମନସୁଖ ହିରନଙ୍କ ମୃତ୍ୟୁ ମାମଲାରେ ଆଜି ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମାଙ୍କ ବାସଭବନ ଖାନତଲାସ କରିଛି।
ଆଜି ସକାଳେ ‘ଏନ୍ଆଇଏ’ର ଏକ ଟିମ୍ ମୁମ୍ବାଇର ପୂର୍ବ ଆନ୍ଧେରୀ ଅଞ୍ଚଳ ଅନ୍ତର୍ଗତ ପ୍ରଦୀପ ଶର୍ମାଙ୍କ ବାସଭବନରେ ପହଞ୍ଚି ତଲାସ ଅଭିଯାନ ଆରମ୍ଭ କରିଥିଲେ। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ‘ଏନ୍ଆଇଏ’ କର୍ମଚାରୀମାନେ ତଲାସ କରିବା ସମୟରେ ଶର୍ମା ଘରେ ଉପସ୍ଥିତ ଥିଲେ।
‘ଏନ୍କାଉଣ୍ଟର୍ ସ୍ପେସାଲିଷ୍ଟ୍’ ଭାବେ ସୁପରିଚିତ ପ୍ରଦୀପ ଶର୍ମାଙ୍କୁ ଏହି ମାମଲାରେ ପୂର୍ବରୁ ‘ଏନ୍ଆଇଏ’ ଦୁଇଥର ପଚରାଉଚୁରା କରି ସାରିଛି। ଉପରୋକ୍ତ ଉଭୟ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହୋଇଥିବାରୁ ‘ଏନ୍ଆଇଏ’ଦ୍ବାରା ଗିରଫ ହୋଇଥିବା ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ ସଚିନ ୱାଜେଙ୍କର ସେ ଘନିଷ୍ଠ ବୋଲି ସମସ୍ତେ ଜାଣନ୍ତି।
ସବ୍-ଇନ୍ସ୍ପେକ୍ଟର୍ ଭାବେ ୧୯୮୩ରେ ମୁମ୍ବାଇ ପୁଲିସରେ ଯୋଗ ଦେଇଥିବା ପ୍ରଦୀପ ଶର୍ମା ‘ମୁମ୍ବାଇ ଅଣ୍ଡର୍ୱାଲର୍ଡ’ ସହ ଜଡ଼ିତ ୩୦୦ରୁ ଊର୍ଦ୍ଧ୍ବ ‘ଏନ୍କାଉଣ୍ଟର୍’ ଘଟଣାରେ ସମ୍ପୃକ୍ତ। ସେଥିରୁ ସେ ୧୧୩ ଘଟଣାରେ ଗୁଳି ଚଳାଇଛନ୍ତି।
୨୦୧୯ରେ ସ୍ବେଚ୍ଛାକୃତ ଅବସର ନେଇ ସେ ଶିବସେନାରେ ଯୋଗ ଦେଇଥିଲେ। ଶିବସେନା ଟିକେଟ୍ରେ ନାଲା ସୋପାରା ଆସନରେ ପ୍ରତିଦ୍ବନ୍ଦ୍ବିତା କରି ସେ ପରାଜିତ ହୋଇଥିଲେ।
ଚଳିତ ବର୍ଷ ଫେବ୍ରୁଆରି ମାସରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ବାହାରେ ବିସ୍ଫୋରକପୂର୍ଣ୍ଣ ଗୋଟାଏ ‘ଏସ୍ୟୁଭି’ ଠାବ କରାଯିବା ମାମାଲାରେ ବୁଧବାର ଦିନ ‘ଏନ୍ଆଇଏ’ ଆଉ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସନ୍ତୋଷ ଶେଲାର ଏବଂ ଆନନ୍ଦ ଯାଦବ ନାମକ ସେ ଦୁଇ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବା ପରେ ଅଧିକ ତଦନ୍ତ ପାଇଁ ଜୁନ୍ ୨୧ ପର୍ଯ୍ୟନ୍ତ ସେମାନଙ୍କୁ ରିମାଣ୍ଡ୍ରେ ‘ଏନ୍ଆଇଏ’ ପୁଲିସ ହାଜତକୁ ପଠାଇ ଦିଆଯାଇଛି।