ଭୁବନେଶ୍ବର ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମହାମାରୀର ପ୍ରଭାବ ସତ୍ତ୍ବେ ଓଡିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ସବୁ ଜୀବନ ମୂଲ୍ୟବାନ। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ନିୟମିତ ଭାବରେ ବନ୍ୟା, ବାତ୍ୟା, ମରୁଡି ଆଦି ବିଭିନ୍ନ ପ୍ରକାର ବିପର୍ଯ୍ୟୟର ସାମ୍ନା କରିଆସୁଛୁ। ଜଳବାୟୁ ପରିବର୍ତ୍ତନ ଯୋଗୁ ବିପର୍ଯ୍ୟୟର ତୀବ୍ରତା ବଢିବା ସହିତ ଅଧିକ ସଂଖ୍ୟକ ବିପର୍ଯ୍ୟୟ ଦେଖାଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରାକ୍ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାର୍ଯ୍ୟକ୍ରମ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପ୍ରାଣୀସେବା ଆଦି ସମସ୍ତ ବ୍ୟବସ୍ଥା ଠିକ୍ ଭାବେ ପ୍ରସ୍ତୁତ ରଖିବା ସହିତ ଓଡ୍ରାଫ ଓ ଅଗ୍ନିସେବା ୟୁନିଟ ଗୁଡିକ ତ୍ବରିତ୍ ପଦକ୍ଷେପ ନେବାପାଇଁ ସତର୍କ ହୋଇ ରହିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।