ପରମ୍ପରା ଓ ବୈଷୟିକ ବିଦ୍ୟା ହେଉଛି ଭାରତର ସବୁଠୁ ବଡ଼ ସାମର୍ଥ୍ୟ: ‘ଟୟକ୍ୟାଥନ୍ ୨୦୨୧’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ପରମ୍ପରା ଓ ବୈଷୟିକ ବିଦ୍ୟା ଭାରତର ସବୁଠୁ ବଡ଼ ସାମର୍ଥ୍ୟ ବୋଲି ଆଜି ‘ଟୟକ୍ୟାଥନ୍ ୨୦୨୧’ରେ ଅଂଶ ଗ୍ରହଣ କରିଥିବା ସଦସ୍ୟମାନଙ୍କ ସହ ଆଳାପ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଭାରତର ଇତିହାସ, ପୁରାଣ ଏବଂ ସାମ୍ପ୍ରତିକ କରୋନାଭାଇରସ୍ ମହାମାରୀ ଏବଂ ଅନ୍ୟାନ୍ୟ କଥାବସ୍ତୁ ଆଧାରିତ ଡିଜିଟାଲ୍ ଖେଳନା ଉପସ୍ଥାପନ କରିଥିବା ତାମିଲନାଡୁ, ଉତ୍ତର ପ୍ରଦେଶ, ହରିୟାଣା ଆଦିର ଅଂଶଗ୍ରହଣକାରୀଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ପରମ୍ପରା ଓ ବୈଷୟିକ ବିଦ୍ୟା ହେଉଛି ଭାରତର ସବୁଠୁ ବଡ଼ ସାମର୍ଥ୍ୟ। ଉଦ୍ଭାବନ କରି ଚାଲନ୍ତୁ, ଆପଣମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।
ଅଭିନବ ଖେଳଣା ଓ ଖେଳ କୌଶଳ ସଂଗ୍ରହ ପାଇଁ ଶିକ୍ଷା ମନ୍ତ୍ରାଳୟ, ମହିଳା ଓ ଶିଶୁ ବିକାଶ, ବୟନ ଶିଳ୍ପ ମନ୍ତ୍ରାଳୟ, ବୟନଶିଳ୍ପ ଏବଂ ଅଭ୍ୟନ୍ତରିଣ ବାଣିଜ୍ୟ ପ୍ରସାର ବିଭାଗ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ‘ଏମ୍ଏସ୍ଏମ୍ଇ’ ମନ୍ତ୍ରାଳୟ ଏବଂ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ଦ୍ବାରା ମିଳିତଭାବେ ଏବର୍ଷ ଜାନୁଆରି ୫ ତାରିଖରେ ‘ଟୟକ୍ୟାଥନ୍ ୨୦୨୧’ ଶୁଭାରମ୍ଭ ହୋଇଥିଲା।
ସମଗ୍ର ଦେଶର ପ୍ରାୟ ୧୨୦,୦୦୦ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ ୧୭,୦୦୦ ଖେଳଣା ଓ ଖେଳ କୌଶଳ ଦାଖଲ ହୋଇଥିଲା। ଜୁନ୍ ୨୨ରୁ ୨୪ ମଧ୍ୟରେ ଅନୁଷ୍ଠିତ ଚୂଡ଼ାନ୍ତ କାର୍ଯ୍ୟକ୍ରମ ଲାଗି ସେଥିରୁ ୧,୫୬୭ଟିକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିଲା। ପରେ ପୃଥକ୍ ଭାବେ ଏହାର ଚୂଡ଼ାନ୍ତ ପ୍ରକ୍ରିୟା କରାଯିବ।
ଆମ ଉତ୍ପାଦନକରୀ ସେକ୍ଟର୍ମାନଙ୍କ ପାଇଁ ଭାରତୀୟ ଓ ବିଶ୍ବ ଖେଳଣା ବଜାରରେ ବୃହତ୍ ସୁଯୋଗ ରହିଛି। ଖେଳଣା ବଜାରରେ ବ୍ୟାପକ କାରବାର କରିବା ଲାଗି ଭାରତରେ ଥିବା ଖେଳଣା ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦେବା ହେଉଛି ‘ଟୟକ୍ୟାଥନ୍-୨୦୨୧ର ଲକ୍ଷ୍ୟ।