ମୁମ୍ବାଇ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ୧୦୦ କୋଟି ଟଙ୍କାର ଳାଞ୍ଚ କାରବାର ମାମଲାରେ ପୁଣିଥରେ ଅଡୁଆରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ। ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ତାଙ୍କ ଘରେ ଚଢାଉ କରିଥିଲା। ଏବେ ତାଙ୍କର ପିଏ ଓ ପିଏସଙ୍କୁ ଗିରଫ କରିଛି ଇଡି। ପିଏମଏଲଏ ନିୟମ ଅନୁସାରେ, ପ୍ରାୟ ୯ ଘଣ୍ଟା ପଚରାଉଚରା କରିବା ପରେ ଗତକାଲି ବିଳମ୍ବିତ ରାତିରେ ଅନିଲ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ(ପିଏ) ସଞ୍ଜୀବ ପଲାଣ୍ଡେ ଓ ବ୍ୟକ୍ତିଗତ ସହାୟକ(ପିଏସ୍) କୁନ୍ଦନ ଶିନ୍ଧେଙ୍କୁ ଗିରଫ କରାଯାଇଛି। ମନି ଲଣ୍ଡରିଂ ମାମଲା ସମ୍ପର୍କରେ ପଚରାଉଚରା ପାଇଁ ଇଡି ତାଙ୍କୁ ସମନ ଜାରି କରିଛି। ତାଙ୍କୁ ଶନିବାର ସକାଳ ୧୧ ଟାରେ ତଦନ୍ତକାରୀ ଏଜେନ୍ସି ନିକଟରେ ହାଜର ହେବାକୁ କୁହାଯାଇଛି। ଅନିଲ ଦେଶମୁଖ ବଲାର୍ଡ ଇଷ୍ଟେଟ୍ ଅଞ୍ଚଳରେ ଅବସ୍ଥିତ ଇଡି କାର୍ଯ୍ୟାଳୟରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବେ।
ଇଡିର ଅଧିକାରଙ୍କ କହିବା ଅନୁସାରେ, କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ମୁମ୍ବାଇର ବଲାର୍ଡ ଇଷ୍ଟେଟ୍ ସ୍ଥିତି ଅଫିସରେ ପଚରାଉଚରା କରିଥିଲା। ଏହି ସମୟରେ ଦେଶମୁଖଙ୍କ ପିଏ-ପିଏସ୍ ଦୁହେଁ ସହଯୋଗ କରିନଥିଲେ। ତଦନ୍ତକାରୀ ଅନିଲ ଦେଶମୁଖଙ୍କ ମୁମ୍ବାଇ ଓ ନାଗପୁର ଦୁଇଟି ଘରେ ଚଢାଉ ପରେ ଏହି ଦୁଇଜଣଙ୍କୁ ପଚର ଉଚରା ପାଇଁ ଇଡି ଅଫିସ ଆଣିଥିଲା। ଦୁହିଁଙ୍କୁ ଶନିବାର ମୁମ୍ବାଇର ସ୍ପେଶାଲ ପିଏମଏଲଏ କୋର୍ଟରେ ହାଜର କରିବ।