ଭୁବନେଶ୍ୱର ୦୮/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଉତ୍କଳ ବିଶ୍ବବିଦ୍ୟାଳୟର ପକ୍ଷରୁ ଆଜି ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ଲୋକର୍ପିତ ହୋଇଯାଇଛି। ଏହି ପ୍ରକଳ୍ପ ଜରିଆରେ ଯୁକ୍ତତିନି ସମେତ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅନ୍ତର୍ଗତ ଭର୍ଚୁ ଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା। ସମୁଦାୟ ୫ କୋଟି ଟଙ୍କାର ଏହି ପ୍ରକଳ୍ପରେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରିଥିଲେ। ବିଭିନ୍ନ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ ଇ-ଲେକ୍ଚର ପ୍ରସ୍ତୁତ କରିବା ନିମନ୍ତେ ଉତ୍କଳ ବିଶ୍ବବିଦ୍ୟାଳୟର ଦୂର ଏବଂ ନିରନ୍ତର ଶିକ୍ଷା ନିର୍ଦେଶାଳୟ (ଡିଡିସିଇ)ଠାରେ ଏକ ଉତ୍ସର୍ଗୀକୃତ ଷ୍ଟୁଡିଓ ନିର୍ମାଣ କରାଯାଇଛି। ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କୁ ସହଜରେ ଉପଲବ୍ଧ କରାଇବା ପାଇଁ ଏନ୍ଆଇସି. ଦ୍ବାରା ବିକଶିତ କରାଯାଇଥିବା ଏକ ସ୍ବତନ୍ତ୍ର ପୋର୍ଟାଲ (https://vtputkal.odisha. gov.in)ରେ ପ୍ରସ୍ତୁତ ଇ-ଲେକ୍ଚରଗୁଡ଼ିକ ସ୍ଥାନିତ କରାଯାଇଛି। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହାକୁ ଲୋକାର୍ପିତ କରିଛନ୍ତି। ଏହାଦ୍ବାରା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।
ବର୍ତ୍ତମାନ ପାଇଁ ପ୍ରଥମ ଓ ଦ୍ବିତୀୟ ସେମିଷ୍ଟାରର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଭିଦବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନସ୍ତତ୍ତ୍ବ ବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ବିଷୟର କୋର ପେପରର ଇ-ଲେକ୍ଚର ପ୍ରସ୍ତୁତ କରାଯାଇ ୱେବ୍ ପୋର୍ଟାଲରେ ଅପ୍ଲୋଡ କରାଯାଇଛି। ବାକି ସେମିଷ୍ଟାରର ଏହି ୧୧ଟି ବିଷୟରେ ଇ ଲେକ୍ଚର ଯଥା ସମୟରେ ଅପ୍ଲୋଡ କରାଯିବ। ପରବର୍ତ୍ତୀ ସମୟରେ ଅନ୍ୟ ବିଷୟଗୁଡ଼ିକର ଇ-ଲେକ୍ଚର ପ୍ରସ୍ତୁତ କରାଯିବ। ଆଜିଠାରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ନିଃଶୁଳ୍କ ଏହି ଇ-ଲେକ୍ଚରଗୁଡ଼ିକୁ ପାଇପାରିବେ। ଇ-ଲେକଚର ଦ୍ୱାରା ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପକୃତ ହେବେ ବୋଲି ସୂଚନା ଦିଆଯାଇଛି।