ନୂଆଦିଲ୍ଲୀ ୨୪/୦୭/୨୦୨୧ କଳିଙ୍ଗ ଜ୍ଯୋତି : ସେପ୍ଟେମ୍ବର ସୁଦ୍ଧା ଦେଶରେ ପିଲାମାନଙ୍କ ନିମନ୍ତେ କୋଭିଡ୍ ଟିକାକରଣ ଆରମ୍ଭ ହୋଇପାରେ ବୋଲି ‘ଏମ୍ସ୍’ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ଆଜି ସକାଳେ ଗଣମାଧ୍ୟମକୁ କହିଛନ୍ତି। ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାରେ ଏହା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମଧ୍ୟ ସେ କହିଛନ୍ତି।
ସେ କହିଛନ୍ତି, ମୋର ମନେହୁଏ ‘ଜାଇଡସ୍’ ପରୀକ୍ଷା କରି ସାରି ଜରୁରୀକାଳୀନ ସ୍ବୀକୃତିକୁ ଅପେକ୍ଷା କରିଛି। ଭାରତ ବାୟୋଟେକ୍ର କୋଭାକ୍ସିନ୍ ପରୀକ୍ଷା ଅଗଷ୍ଟ କିଂବା ସେପ୍ଟେମ୍ବର ସୁଦ୍ଧା ଶେଷ ହେବା କଥା ଏବଂ ସେତେବେଳକୁ ଆମେ ନିଶ୍ଚୟ ଅନୁମୋଦନ ପାଇଯିବୁ। ଆମେରିକାର ‘ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍’ ଫାଇଜର୍ ଟିକାକୁ ଅନୁମୋଦନ ଦେଇ ସାରିଛି। ସେପ୍ଟେମ୍ବର ସୁଦ୍ଧା ଆମେ ପିଲାଙ୍କୁ ଟିକା ଦେବା ଆରମ୍ଭ କରିବୁ ବୋଲି ଆଶା କରୁଛୁ। ସଂକ୍ରମଣ ଶୃଙ୍ଖଳ ଛିନ୍ନ କ୍ଷେତ୍ରରେ ଏହା ହେବ ଗୁରୁତ୍ବପୂର୍ଣ୍ଣ।
କୋଭିଡ୍-୧୯ ଟିକା ପରୀକ୍ଷା ନିମନ୍ତେ ଜୁନ୍ ୭ ତାରିଖ ଦିନ ଦିଲ୍ଲୀ ‘ଏମ୍ସ୍’ ୨ ରୁ ୧୭ ବର୍ଷିୟ ପିଲାଙ୍କୁ ଚୟନ କରିଥିଲା। ୨ ବର୍ଷ ବୟସ୍କ ପିଲାମାନଙ୍କ ଦେହରେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କୋଭାକ୍ସିନ୍ ଟିକା ପରୀକ୍ଷା କରିବା ଲାଗି ମେ ୧୨ ତାରିଖ ଦିନ ‘ଡିସିଜିଆଇ’ ଭାରତ ବାୟୋଟେକ୍କୁ ଅନୁମତି ପ୍ରଦାନ କରିଥିଲେ। ୧୭୫ଜଣ ପିଲାଙ୍କ ଦେହରେ ଏହି ଟିକା ପରୀକ୍ଷା କରାଯାଇଛି। ଦ୍ବିତୀୟ ଡୋଜ୍ ଦିଆଯିବା ପରେ ଏହି ପରୀକ୍ଷାର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ବାହାରିବ। ଏହା ଯେ, ପିଲାମାନଙ୍କ ପାଇଁ କେତେ ନିରାପଦ ତାହା ସେଥିରୁ ସ୍ପଷ୍ଟ ହୋଇଯିବ।