ଦେଓଘର ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପ୍ରଧାନ ଆଚାର୍ଯ୍ୟଦେବ ପରମପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ମହାପ୍ରୟାଣ ପରେ ‘ସତସଙ୍ଗ’ର ନୂତନ ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହୋଇଛନ୍ତି ଶ୍ରୀଶ୍ରୀବାବାଇଦା ( ଶ୍ରୀ ଅର୍କଦ୍ୟୁତି ଚକ୍ରବର୍ତ୍ତୀ)। ଗତକାଲି ଶ୍ରୀଶ୍ରୀଦାଦାଙ୍କ ପାରଲୌକିକ କ୍ରିୟାର ଏକାଦଶ ଦିବସରେ ‘ସତସଙ୍ଗ’ର ସଭାପତି ଡ.ଅଲୋକ ଚକ୍ରବର୍ତ୍ତୀ (ପୂଜ୍ୟପାଦ ମେଜଦା)ଙ୍କ ଆହ୍ବାନକ୍ରମେ ସମସ୍ତ ଭକ୍ତ ଓ ଅନୁଗାମୀ ଶ୍ରୀଶ୍ରୀବାବାଇଦାଙ୍କୁ ପୁରୋଭାଗରେ ରଖି ଶ୍ରୀଶ୍ରୀଠାକୁରଙ୍କ ପ୍ରଦର୍ଶିତ ମାର୍ଗରେ ଅଗ୍ରସର ହେବାକୁ ସଂକଳ୍ପ ଗ୍ରହଣ କରିଥିଲେ। ପରେ ‘ସତସଙ୍ଗ’ ପକ୍ଷରୁ ଆଧିକାରିକ ଭାବେ ଏ ସଂକ୍ରାନ୍ତରେ ବାର୍ତ୍ତା ଜାରି କରାଯାଇଥିଲା।
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ପ୍ରପୌତ୍ର ତଥା ବାକସିଦ୍ଧ ସାଧକ ଶ୍ରୀଶ୍ରୀବାବାଇଦା’ ୧୯୬୮ ମସିହା ଜୁନ୍ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଶୈଶବ ଅବସ୍ଥାରୁ ହିଁ ସେ ଠାକୁରଙ୍କ ପ୍ରଦର୍ଶିତ ସାଧନ-ମାର୍ଗରେ ନିମଜ୍ଜିତ ରହିବା ସହ ଆଦର୍ଶର ପ୍ରଚାର-ପ୍ରସାରରେ ନିଜକୁ ସକ୍ରିୟ ଭାବେ ବ୍ରତୀ କରିଥିଲେ। ପରବର୍ତ୍ତୀ ସମୟରେ ସେ ‘ସତସଙ୍ଗ’ର ପ୍ରଶାସକ ଦାୟିତ୍ବ ବହନ କରି ‘ସତସଙ୍ଗ’ ଆନ୍ଦୋଳନକୁ ଦେଶର ବିଭିନ୍ନ ପ୍ରାନ୍ତରେ ବ୍ୟାପକ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ୨୦୧୬ ମସିହାରେ ସେ ଦେଶର ଅଧିକାଂଶ ଅଞ୍ଚଳ ଗସ୍ତକରି କ୍ରମାଗତ ଭାବେ ୧୦୦ ଦିନ ମଧ୍ୟରେ ପ୍ରାୟ ୪.୭୨ ଲକ୍ଷ ଲୋକଙ୍କୁ ସତମନ୍ତ୍ରରେ ଦୀକ୍ଷିତ କରିଥିଲେ। ପ୍ରାୟ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ଧରି ସେ ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦାଙ୍କ ଆଦେଶକ୍ରମେ ‘ସତସଙ୍ଗ’ ଅନୁଷ୍ଠାନର ସୁପରିଚାଳନା କରିବା ସହ ପ୍ରତ୍ୟହ ଦେଶ-ବିଦେଶର କୋଣ-ଅନୁକୋଣରୁ ବିଭିନ୍ନ ସମସ୍ୟା ଧରି ଆସୁଥିବା ଭକ୍ତ-ଅନୁରାଗୀଙ୍କୁ ସମାଧାନର ସୂତ୍ର ପ୍ରଦାନ କରିଆସୁଥିଲେ।
ଶ୍ରୀଶ୍ରୀବାବାଇଦାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଦେଓଘରସ୍ଥିତ ସତସଙ୍ଗ ଆଶ୍ରମରେ କରାଯାଇଥିବା ଜଳ ସଂରକ୍ଷଣ ଓ ଜଳ-ଅମଳ ପ୍ରକଳ୍ପକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଦେଶର ଶ୍ରେଷ୍ଠ ପ୍ରକଳ୍ପ ଭାବେ ୨ ବର୍ଷ ପୂର୍ବେ ପୁରସ୍କୃତ କରାଯାଇଥିଲା। ଏଥିସହ କରୋନା ମହାମାରୀ ସମୟରେ ତାଙ୍କ ନିର୍ଦ୍ଦେଶରେ ସତସଙ୍ଗ ପକ୍ଷରୁ ବହୁ ସରକାରୀ-ବେସରକାରୀ ଡାକ୍ତରଖାନାକୁ ବିଭିନ୍ନ ପ୍ରକାରର ସହାୟତା ଦିଆଯିବା ସହ ଜୀବନ-ଜୀବିକା ବିପନ୍ନ ହୋଇଥିବା ଅଂଚଳବାସୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା।