ନୂଆଦିଲ୍ଲୀ ୦୪/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଦେଶରେ ଦୈନିକ କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଦିଲ୍ଲୀର ୬ଟି ବଡ଼ ଡାକ୍ତରଖାନାର ୧୮୦ରୁ ଅଧିକ ଡାକ୍ତର କୋଭିଡ -୧୯ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସଂଖ୍ୟା ୨୫୦କୁ ବୃଦ୍ଧି ପାଇବା ସମ୍ଭାବନା ଥିବା ଏକ ସମ୍ବାଦ ସରବରାହ ସଂସ୍ଥା କହିଛି। ସୂଚନା ମୁତାବକ, ନୂଆଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ – ଏମ୍ସର ୬୦ ଜଣ ଡାକ୍ତର ଓ ସଫଦରଜଙ୍ଗ ହସ୍ପିଟାଲର ୫୦ ଜଣ ଡାକ୍ତର ଗତ କିଛି ଦିନ ମଧ୍ୟରେ କୋଭିଡ ଆକ୍ରାନ୍ତ ହୋଇଛନ୍ତି।
ସେହିପରି ରାମ ମନୋହର ଲୋହିଆ ହସ୍ପିଟାଲରେ ପ୍ରାୟ ୨୫ ଜଣ ଡାକ୍ତର ଓ ମୌଲାନା ଆଜାଦ ମେଡିକାଲ କଲେଜର ବିଭିନ୍ନ ବିଭାଗର ୨୦ରୁ ଅଧିକ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତ ସଂକ୍ରମିତ ଡାକ୍ତର ଏବେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି।
ଅନ୍ୟପକ୍ଷରେ ଲେଡି ହାର୍ଡିଙ୍ଗ ମେଡିକାଲ କଲେଜର ପ୍ରାୟ ୨୦ ଜଣ ସ୍ୱାସ୍ଥ୍ୟ କର୍ମୀ କୋଭିଡ -୧୯ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲର ଅନେକ ଡାକ୍ତରଙ୍କ କ୍ଷେତ୍ରରେ କୋଭିଡ ଲକ୍ଷଣ ପ୍ରକାଶ ପାଇଥିବା ଜଣାପଡିଛି।