ନୂଆଦିଲ୍ଲୀ ୩୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡର ନୂଆ ଲହରକୁ ଭାରତ ବେଶ୍ ସଫଳତାର ସହ ମୁକାବିଲା କରୁଛି । ଆକାଶବାଣୀରେ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ସାଢ଼େ ୪ କୋଟିରୁ ଅଧିକ ପିଲା କୋଭିଡ ଟିକା ନେବା ଦେଶପାଇଁ ଏକ ଗର୍ବର ବିଷୟର ବିଷୟ ବୋଲି ଶ୍ରୀ ମୋଦୀ କହିଛନ୍ତି । ମାତ୍ର ମାସକ ମଧ୍ୟରେ ୧୫ରୁ ୧୮ବର୍ଷର ଶତକଡା ୬୦ଭାଗ ପିଲାଙ୍କୁ ଟିକା ଦିଆଯାଇଛି । ସେ କହିଛନ୍ତି ଏହାଦ୍ୱାରା ପିଲାମାନେ ସୁରକ୍ଷିତ ରହିବେ ଏବଂ ସେମାନଙ୍କ ପାଠପଢ଼ା ଜାରି ରହିବ । ଶ୍ରୀ ମୋଦି କହିଛନ୍ତି ମାତ୍ର ୨୦ ଦିନ ଭିତରେ ୧ କୋଟିରୁ ଅଧିକ ଲୋକ ପ୍ରତିଷେଧାତ୍ମକ ପାନ ନେଇଛନ୍ତି । ସ୍ୱଦେଶ ତିଆରି ଟିକା ଉପରେ ଲୋକମାନଙ୍କର ଆସ୍ଥା ଦେଶକୁ ଶକ୍ତିଶାଳୀ କରିଛି । କୋଭିଡ ସଂକ୍ରମଣ ହ୍ରାସ ପାଇବା ଏକ ସକାରାତ୍ମକ ସଙ୍କେତ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ତଥାପି ସେ ଲୋକମାନଙ୍କୁ ନିରାପଦ ରହିବାପାଇଁ ସତର୍କ କରାଇ କହିଛନ୍ତି ଯେ ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ନିହାତି ବଜାୟ ରଖିବାର ଆବଶ୍ୟକତା ରହିଛି ।
ଆଜି ମହାତ୍ମାଗାନ୍ଧୀଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ଜାତିର ପିତାଙ୍କୁ ସ୍ବରଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ସାଧାରଣତନ୍ତ୍ର ଦିବସ ସମାରୋହ ପାଳନ ଏଣିକି ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମଦିନ ଜାନୁଆରୀ ୨୩ ତାରିଖରୁ ଆରମ୍ଭ କରାଯାଇ ମହାତ୍ମାଗାନ୍ଧୀଙ୍କ ପୁଣ୍ୟତିଥି ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଇଣ୍ଡିଆ ଗେଟରେ ନେତାଜୀଙ୍କର ଡିଜିଟାଲ ପ୍ରତିମୂର୍ତ୍ତି ସ୍ଥାପନକୁ ଦେଶବାସୀ ଅତି ଆଗ୍ରହର ସହ ସ୍ୱାଗତ କରିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଦେଶ ଏହିସବୁ ଉଦ୍ୟମଗୁଡ଼ିକ ଜରିଆରେ ଜାତୀୟ ପ୍ରତୀକ ଗୁଡ଼ିକୁ ପୁନଃସ୍ଥାପନ କରୁଛି । ଶ୍ରୀ ମୋଦୀ କହିଛନ୍ତି ଇଣ୍ଡିଆ ଗେଟ୍ ନିକଟରେ ଅମର ଯବାନ ଜ୍ୟୋତି ଏବଂ ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରଜ୍ୱଳିତ ଜ୍ୟୋତିକୁ ମିଶାଇ ଦିଆଯାଇଛି । ଜାତୀୟ ଯୁଦ୍ଧସ୍ମାରକୀରେ ସ୍ୱାଧୀନତା ସମୟରୁ ଶହୀଦ ହୋଇଥିବା ଯବାନମାନଙ୍କ ନାମ ଲେଖାଯାଇଛି । ସେ କହିଛନ୍ତି ଅମର ଯବାନ ଜ୍ୟୋତି ଦେଶର ଶହୀଦମାନଙ୍କର ଅବଦାନକୁ ଦେଶବାସୀଙ୍କୁ ପ୍ରେରଣା ଦେଉଛି ଏବଂ ତାହା ସଦାସର୍ବଦା ଅମର । ସମସ୍ତେ ଜାତୀୟ ଯୁଦ୍ଧସ୍ମାରକୀ ପରିଦର୍ଶନ କରି ନୂଆ ପ୍ରେରଣା ଓ ନୂଆ ଶକ୍ତି ଆହରଣ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ସମ୍ପ୍ରତି ଅନେକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ବାଲ ପୁରସ୍କାର ଅନ୍ୟତମ । ଯୁବାବସ୍ଥାରେ ପ୍ରେରଣାଦାୟୀ ଓ ସାହସିକତାର ପ୍ରଦର୍ଶନ କରିଥିବା ଶିଶୁମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶିଶୁମାନଙ୍କର ଏହି ସାହସିକ କାର୍ଯ୍ୟକଳାପ ଯୋଗୁଁ ଅନ୍ୟମାନେ ପ୍ରେରଣା ପାଇଥାନ୍ତି ଏବଂ ଦେଶପାଇଁ ଗୌରବ ଅର୍ଜନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଆଜାଦୀ କା ଅମୃତ ମହୋତ୍ସବ କେବଳ ଆମ ଦେଶରେ ନୁହେଁ, ବରଂ ବିଦେଶରେ ପାଳନ କରାଯାଉଥିବା ଅତ୍ୟନ୍ତ ଆନନ୍ଦର ବିଷୟ । କ୍ରୋଏସିଆରୁ ତାଙ୍କୁ ୭୫ଟି ପୋଷ୍ଟକାର୍ଡ ମିଳିଥିବା ସେ କହିଛନ୍ତି । କ୍ରୋଏସିଆର ଜାଗ୍ରେବସ୍ଥିତ ପ୍ରୟୋଗାତ୍ମକ କଳା ଓ ଡିଜାଇନ୍ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅମୃତ ମହୋତ୍ସବ ପାଇଁ ତାଙ୍କୁ ଏହି ୭୫ଟି ପୋଷ୍ଟକାର୍ଡ ପଠାଇଥିବାରୁ ଶ୍ରୀ ମୋଦୀ ଦେଶବାସୀଙ୍କ ତରଫରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।