ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା: ସାଧୁସନ୍ଥଙ୍କ ଆଗମନରେ ମହିମାଗାଦି ଚଳଚଞ୍ଚଳ, ସନ୍ଧ୍ୟା ୫.୩୦ରେ ଜଳିବ ଝାଡ଼ଦୀପ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଢେଙ୍କାନାଳ ୧୫/୦୨/୨୦୨୨ କଳିଙ୍ଗ ଜ୍ୟୋତି : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ମଙ୍ଗଳବାର ମାଘ ଶୁକ୍ଲ ଚତୁର୍ଦ୍ଦଶୀ ପ୍ରାତଃ ବ୍ରାହ୍ମମୂହୂର୍ତ୍ତରୁ ଆରମ୍ଭ ହେବାକୁ ଯାଉଛି । ସନ୍ଧ୍ୟା ୫.୩୦ ମିନିଟ୍ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କରାଯିବ । ଜଗତ ଭକତର ମଙ୍ଗଳ ପାଇଁ ମହିମା ସାଧୁ ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ୱଳନ କରିବେ । ଆଖପାଖ ଅଞ୍ଚଳ ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଧୁସନ୍ଥଙ୍କ ସମାଗମ ମହିମା ଗାଦି ଚଳଚଞ୍ଚଳ ହୋଇଉଠିଛି । ମହିମାଧର୍ମର ମହାକୁମ୍ଭ ଭାବେ ପରିଚିତ ମହିମାଧର୍ମର ୧୪୯ତମ ମହିମା ମେଳା ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ସରକାରଙ୍କ ନିୟମ ଅନୁସାରେ ନିରାଡ଼ମ୍ବର ଭାବେ ପାଳିତ ହେବ । ମେଳାରେ ସମସ୍ତ ପ୍ରକାର ମହୋତ୍ସବ, ମୀନା ବଜାର, ବିକ୍ରିବଟା, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିବା ବେଳେ କେବଳ ସାଧୁସନ୍ଥଙ୍କୁ ମେଳାରେ ଅନୁମତି ଦିଆଯାଇଛି । ଭକ୍ତଙ୍କ ଗହଳିଚହଳିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।
ମେଳା ପାଇଁ ସୋମବାର ସନ୍ଧ୍ୟାସୁଦ୍ଧା କେନ୍ଦ୍ରାପଡ଼ା, ବଲାଙ୍ଗୀର, ଜଗତସିଂହପୁର, ଅନୁଗୁଳ, ଯାଜପୁର, ନୟାଗଡ ସମେତ ଛତିଶଗଡ଼, ଝାଡଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ ଆଦି ଅଞ୍ଚଳରୁ ମହିମାସାଧୁ ଓ ଭକ୍ତଙ୍କ ମହିମାଗାଦିରେ ପହଞ୍ଚିଲେଣି । ରାତିରେ ଭକ୍ତ ଓ ସାଧୁମାନେ ବସ୍, ଟ୍ରେନ୍ ସମେତ ଚାଲି ଚାଲି ମହିମାଗାଦି ମୁହାଁ ହେଉଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ମଙ୍ଗଳବାର ପ୍ରାତଃ ସାଢେ ୩ଟାରେ ଗାଦି ମନ୍ଦିର, ଏକୋଈଶହାତିଆ ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିରରେ ନୀତି ଆରମ୍ଭ ହେବ । ପ୍ରାତଃ ବ୍ରାହ୍ମ ମୂହୂର୍ତ୍ତରେ ମନ୍ଦିରର ଚାରିଦ୍ୱାର ଖୋଲାଯାଇ ରୁପାଗରାରେ ପାଣି ମନ୍ଦିର ଚତୁପାଶ୍ୱର୍ରେ ସିଞ୍ଚନ କରାଯିବ । ଅଗୁର, କର୍ପୁର ଓ ଚନ୍ଦନ ପାଣି ସିଞ୍ଚନ କରାଯାଇ ଛେରା ପହଁରା କରାଯିବ । ତ୍ରିସନ୍ଧ୍ୟା ପୂଜା ପରେ ଅପରାହ୍ନ ୫.୩୦ରେ ଝାଡ଼ଦୀପ ପ୍ରଜ୍ୱଳିତ ହେବ । ଏଥିପାଇଁ ମହିମା ଗାଦି ନୀତି ମନ୍ଦିରରୁ ଝାଡଦୀପକୁ ସଜ୍ଜିତ କରାଯାଇ ରଖାଯାଇଛି । ଏଥି ପୂର୍ବରୁ ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତିର ଜରୁରୀ ପରିଚାଳନା ବୈଠକ ବସି ନୀତି ଚୂଡ଼ାନ୍ତ କରାଯାଇଛି । କେତେକ ତ୍ୟାଗୀ ବୈରାଗୀଙ୍କୁ କୌପୀନ ବାନା ପ୍ରଦାନ କରାଯାଇଛି ।
ମେଳାର ପ୍ରସ୍ତୁତି ସଂପର୍କରେ ମହିମା ସମାଜର ଅଧ୍ୟକ୍ଷ ରଘୁନାଥ ବାବା କହିଛନ୍ତିଯେ, ପାହାନ୍ତା ସମୟରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଅଖଣ୍ଡବତୀ ମନ୍ଦିର, ଧୂନୀ ମନ୍ଦିର, ଭେକ ମନ୍ଦିର ତଥା ସର୍ବସ୍ଥାନ ନୀତି ଉପାସନା ପୀଠମାନଙ୍କରେ ଜଗତର ହିତାର୍ଥେ, ସର୍ବଜନ ପ୍ରାଣୀମାନଙ୍କ ମଙ୍ଗଳ ନିମିତ୍ତ ଅଖଣ୍ଡବତୀ ଓ ଜ୍ୟୋତିରେ ଘୃତାହୃତି କରିବା ସଙ୍ଗେ ସଙ୍ଗେ ବ୍ରହ୍ମଧୂନୀରେ ହବ୍ୟାହୂତି ପ୍ରଦାନ କରାଯିବ। ସକାଳ ୫ ଘଟିକା ସୁଦ୍ଧା ମହାପ୍ରଭୁଙ୍କର ଅବକାଶ ସ୍ତୁତି ପ୍ରାର୍ଥନା, ଭିକ୍ଷାଭଜନ ଆଦି ପାଠ ପରେ ଶୂନ୍ୟପ୍ରଭୂଙ୍କ ନିକଟରେ ଅମୁଣିଆ ପ୍ରସାଦ ଅର୍ପଣ କରାଯାଇ ଛୋଟ ଛୋଟ ବାଳକ, ବାଳିକା ତଥା ସର୍ବସାଧାରଣଙ୍କୁ ମହାପ୍ରସାଦ ବିତରଣ କରାଯିବ । ସକାଳ ୬ ଘଟିକା ଠାରୁ ୨ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟେକ ମନ୍ଦିରର ନୀତିସେବକ ସନ୍ନ୍ୟାସୀମାନେ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଜଗତ ଭକତର ମଙ୍ଗଳ କାମନା କରିବେ ।
ତେବେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍ କଟକଣା ପାଇଁ ଭକ୍ତଶୂନ୍ୟ ହେବ ଯୋରନ୍ଦା ପୀଠ । ମେଳାରେ ଭକ୍ତଙ୍କ ଗହଳିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ କେବଳ ମହିମା ସାଧୁସନ୍ଥଙ୍କୁ ଉପଯୁକ୍ତ କୋଭିଡ୍ ପ୍ରମାଣପତ୍ର ସହ ମେଳାରେ ଅନୁମତି ଦିଆଯିବ ବୋଲି ପ୍ରଶାସନିକ ସ୍ତରରେ ନିଷ୍ପତି ହୋଇଛି । ଏଥିପାଇଁ ଗତ ୩ ଦିନ ଧରି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମହିମାଗାଦିରେ ଉପସ୍ଥିତ ରହି ଉଭୟ ଆଣ୍ଟିଜେନ୍ ଓ ଆର୍ଟିପିସିଆର୍ ଟେଷ୍ଟ୍ କରୁଛନ୍ତି ।ସୋମବାର ସୁଦ୍ଧା ୧୯୯ଟି କୋଭିଡ୍ ଟେଷ୍ଟ୍ ହୋଇଥିବା ସୂଚନା ଦିଆଯାଇଛି ।
ସେହିପରି ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ ବୋଲି ପୁଲିସ୍ ବିଭାଗ ପକ୍ଷରୁ ସୂଚନା ମିଳିଛି । ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ଅଧିକାରୀମାନେ ଗାଦିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ନିରାଡ଼ମ୍ବର ଭାବେ ମେଳାକୁ ସମ୍ପନ୍ନ କରିବା ପାଇଁ ପ୍ରଶାସନ, ପୁଲିସ, ପଞ୍ଚାୟତ, ସାଧୁସନ୍ଥମାନେ ଜୋରସୋର ଲାଗିପଡ଼ିଛନ୍ତି ।