କଲକାତା : ସ୍ବାସ୍ଥ୍ୟଗତ ସମସ୍ୟା କାରଣକୁ ନେଇ ଜଣେ ୩୭ବର୍ଷୀୟା ମହିଳାଙ୍କର ୩୪ ସପ୍ତାହର ଭ୍ରୂଣକୁ ଗର୍ଭପାତ କରାଇବା ଲାଗି କୋଲକାତା ଉଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି। ଏହା ଦେଶର ସବୁଠାରୁ ବିଳମ୍ବିତ ଗର୍ଭପାତ ଯାହାକୁ ନ୍ୟାୟିକ ଅନୁମତି ମିଳିଛି। ଡାକ୍ତରୀ ବୋର୍ଡର ରିପୋର୍ଟ ଅନୁଯାୟୀ ମହିଳାଙ୍କ ଗର୍ଭରେ ଥିବା ଭ୍ରୁଣରେ ଏପରି ଅସୁସ୍ଥତା ରହିଛି ଯାହାକୁ ଚିକିତ୍ସା ଦ୍ବାରା ଭଲ କରାଯାଇପାରିବ ନାହିଁ। ଗର୍ଭସ୍ଥ ଭ୍ରୂଣର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମହିଳା ଜଣଙ୍କ ଏହାକୁ ଗର୍ଭପାତ କରାଇବା ଲାଗି ଗତ ସପ୍ତାହରେ ଉଚ୍ଚ ନ୍ୟାୟାଳୟଙ୍କ ଅନୁମତି ନିମନ୍ତେ ଆବେଦନ କରିଥିଲେ। ମହିଳାଙ୍କ ଆବେଦନ ଅନୁଯାୟୀ ଗର୍ଭସ୍ଥ ଭ୍ରୁଣ ସ୍ପିନା ବିଫିଡା ରହିଛି। ଏହା ଏକ ଜନ୍ମଗତ ସମସ୍ୟା ଯେଉଁଥିରେ ଶିଶୁର ମେରୁଦଣ୍ଡ ଠିକ୍ ଭାବେ ଗଠନ ହୋଇନଥାଏ। ଏପରି କ୍ଷେତ୍ରରେ ଶିଶୁ ଠିକ୍ ଭାବେ ଚଳପ୍ରଚଳ କରିପାରେ ନାହିଁ ଓ ଜନ୍ମର କିଛି ସପ୍ତାହ ମଧ୍ୟରେ ଏହାର ମୃତ୍ୟୁ ହୋଇଥାଏ। ମହିଳା ଜଣଙ୍କ ବିଭିନ୍ନ ଘରୋଇ ଡାକ୍ତରଖାନାର ପରାମର୍ଶ ଲୋଡିଥିଲେ ମଧ୍ୟ ଏହାର ସମାଧାନ ସମ୍ଭବ ନୁହେଁ ବୋଲି ଜାଣିବାକୁ ପାଇଥିଲେ। ମହିଳାଙ୍କ ଆବେଦନ ଉପରେ ଏକ ଡାକ୍ତରୀ ବୋର୍ଡ ଅନୁଧ୍ୟାନ କରିବା ପରେ ବିଚାରପତି ରାଜଶେଖର ମେହେଟା ଭ୍ରୂଣର ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି। ଗର୍ଭପାତ ସମୟରେ ମହିଳାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କ ସମ୍ମତି ଆଧାରରେ ଅନୁମତି ପ୍ରଦାନ କରାଯାଇଛି। ଏହା ପୂର୍ବରୁ ବମ୍ବେ ଉଚ୍ଚ ନ୍ୟାୟାଳୟ ଗତବର୍ଷ ଅଗଷ୍ଟରେ ୩୩ ସପ୍ତାହର ଭ୍ରୁଣକୁ ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ମେଡିକାଲ ଟର୍ମିନେସନ ଅଫ ପ୍ରେଗନାନ୍ସି (ଏମ୍ଟିପି) ଆଇନ ଅନୁଯାୟୀ ୨୪ ସପ୍ତାହର କମ୍ ସମୟର ଭ୍ରୂଣକୁ ଗର୍ଭପାତ ନିମନ୍ତେ ସର୍ତ୍ତ ଭିତ୍ତିରେ ଅନୁମତି ଦିଆଯାଇପାରିବ।