![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/ftugjg.jpg?resize=578%2C404)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୩/୦୭: ଭୁବନେଶ୍ୱର : କଟକ ଓ ଭୁବେନଶ୍ୱର ଦ୍ୱୈତ ନଗରୀରେ ଖୁବ୍ଶୀଘ୍ର ବାତ୍ୟା ନିରୋଧୀ ଆଧୁନିକ ବିଦ୍ୟୁତ୍ ସେବା ମିଳିବ। ଆସନ୍ତା ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଉକ୍ତ ପ୍ରକଳ୍ପର ସମୀକ୍ଷା କରିଥିଲେ। ତୃଣମୂଳ ସ୍ତରରେ ଆସୁଥିବା ସମସ୍ୟାକୁ ଅଧିକାରୀମାନେ ଶକ୍ତି ବିଭାଗ, ସାଧାରଣ ପ୍ରଶାସନ ବିଭାଗ, ଗ୍ରୀଡ୍କୋ, ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥା ସହିତ ସମନ୍ବୟ ରକ୍ଷା କରି ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଓପିଟିସିଏଲ୍ ଏହି କାର୍ଯ୍ୟକୁ ତଦାରଖ କରିବାକୁ କୁହାଯାଇଛି। ଭୂତଳ ବିଦ୍ୟୁତ୍ କେବୁଲ କାର୍ଯ୍ୟକାରୀ ହେବା ପୂର୍ବରୁ ସହରର ମୁଖ୍ୟ ରାସ୍ତାଗୁଡିକରୁ ତୁରନ୍ତ ଖୁଣ୍ଟରେ ବିଦ୍ୟୁତ୍ ତାରଗୁଡ଼ିକୁ ହଟାଇବାକୁ ଉନ୍ନୟନ କମିଶନର ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ୩୦୦ କି.ମି. ବେଗର ପବନକୁ ସମ୍ଭାଳିବା ଭଳି ଉନ୍ନତମାନର ଭିିତ୍ତିଭୂମି ନିର୍ମାଣ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ପ୍ରଦୀପ କୁମାର ଜେନା କହିଛନ୍ତି।
![](https://kalingajyoti.com/wp-content/uploads/2020/07/fhtejht.jpg)
ସହର ପାଇଁ ଆବଶ୍ୟକ ହେଉଥିବା ୧୩୦୦ ମେଗାଓ୍ବାଟ ବିଦ୍ୟୁତ୍ ଚାହିଦା ଏହି ନୂତନ ବ୍ୟବସ୍ଥା ପୂରଣ କରି ପାରିବ ବୋଲି ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ଏହାଦ୍ୱାରା ପରିବହନ ଓ ବଣ୍ଟନଜନିତ କ୍ଷତିକୁ ମଧ୍ୟ ହ୍ରାସ କରାଯାଇ ପାରିବ ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ବିଦ୍ୟୁତ୍ ପରିବହନ ଓ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଆସିପାରିବ ବୋଲି ଓପିଟିସିଏଲ୍ ଏବଂ ଗ୍ରୀଡ୍କୋ ଅଧ୍ୟକ୍ଷ ସୌରଭ ଗର୍ଗ କହିଛନ୍ତି। ୨୦ଟି ନୂତନ ସବ୍ଷ୍ଟେଶନ କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି। ଏହି ପ୍ରକଳ୍ପ ପାଇଁ ୧୬୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ପ୍ରତାପପୁର ଶାସନ, ବାଲିଅନ୍ତା, ଗୋଠପାଟଣା, ଗୋଡିସାହି, କଟକ ଠାରେ ୨୨୦ କେ.ଭି ସବ୍ଷ୍ଟେଶନ ସ୍ଥାପନ କରାଯାଇଥିବା ବେଳେ ୟୁନିଟ-୮, ମଞ୍ଚେଶ୍ୱର, ବଡ଼ଗଡ଼, ସତ୍ୟନଗର, ନୟାପଲ୍ଲୀ ଏବଂ ବ୍ରଜବିହାରୀପୁର ଠାରେ ୧୩୨ କେ.ଭି. ଏବଂ ୟୁନିଟ-୮, ବଡ଼ଗଡ଼, ବାପୁଜୀନଗର, ମାଷ୍ଟରକ୍ୟାଣ୍ଟିନ, ସତ୍ୟନଗର, ଶହୀଦନଗର, ଖାରବେଳନଗର, ରାଣୀହାଟ ଓ ବାଦାମବାଡି ଠାରେ ୩୩ କେ.ଭି.ର ସବ୍ଷ୍ଟେଶନ ସ୍ଥାପନ କରାଯାଇଛି। ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ବିଭିନ୍ନ ପର୍ଯ୍ୟାୟ କାମ ଶେଷ ହେବ ବୋଲି ବୈଠକରୁ ସୂଚନା ମିଳିଛି।