ଘରୋଇ ହସ୍ପିଟାଲ/ନର୍ସିଂହୋମ୍କୁ ଏସ୍ଓପି ଜାରି କଲା ବିଏମ୍ସି : ଓପିଡିର ପ୍ରବେଶ ପୂର୍ବରୁ ହଟସ୍ପଟ୍ ଜିଲ୍ଲା ରୋଗୀଙ୍କୁ ଅଲଗା କରିବାକୁ ନିର୍ଦେଶ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୪/୦୭: ରାଜ୍ୟର ୫ଟି ହଟ୍ସ୍ପଟ୍ ଜିଲ୍ଲାରୁ ରାଜଧାନୀର ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍କୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଓପିଡି ବା ବର୍ହିବିଭାଗର ପ୍ରବେଶ ଦ୍ବାରରୁ ହିଁ ଅଲଗା କର। ଫଳରେ ଏହି ଜିଲ୍ଲାଗୁଡ଼ିକରୁ ଆସୁଥିବା ରୋଗୀ ଅନ୍ୟମାନଙ୍କ ସହିତ ମିଶିପାରିବେ ନାହିଁ ଓ ସଂକ୍ରମଣ ହେବ ନାହିଁ। ରାଜଧାନୀରେ ବଢ଼ୁଥିବା କରୋନା ସଂଖ୍ୟାକୁ ନଜରରେ ରଖି ବିଏମ୍ସି ପକ୍ଷରୁ ଆଜି ରାଜଧାନୀର ଘରୋଇ ହସ୍ପିଟାଲ/ନର୍ସିଂହୋମ୍ ପାଇଁ ସ୍ବତନ୍ତ୍ର ଭାବେ ଏକ ଏସ୍ଓପି ଜାରି ହୋଇଛି। ଯଦିଓ ହସ୍ପିଟାଲରେ କୋଭିଡ୍ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ନିର୍ଦେଶାବଳି ଜାରି କରିଛନ୍ତି, ଏହାସତ୍ତ୍ବେ ବିଏମ୍ସି ପକ୍ଷରୁ ଆଜି ଅତିରିକ୍ତ ଏସ୍ଓପି ଜାରି କରି ଅଧିକ ସତର୍କ ରହିବା ଲାଗି ନିର୍ଦେଶ ଦେଇଛି।
ରାଜଧାନୀରେ ଗତ କିଛି ଦିନ ଭିତରେ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ବହୁ ସଂଖ୍ୟାରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପରିକି ଗୋଟିଏ ଘରୋଇ ହସ୍ପିଟାଲରୁ ପ୍ରାୟ ୪୦ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ହସ୍ପିଟାଲକୁ ସିଲ୍ କରି ଦିଆଯାଇଛି। ଅନ୍ୟ ଘରୋଇ ହସ୍ପିଟାଲରୁ ମଧ୍ୟ ପଜିଟିଭ୍ ମଧ୍ୟ ଚିହ୍ନଟ ହୋଇଛନ୍ତି। ଏସବୁକୁ ନଜରରେ ରଖି ବିଏମ୍ସି ଆଜି ପଦକ୍ଷେପ ଗ୍ରହଣ କରିଛି। ବିଶେଷକରି ଗଞ୍ଜାମ, ଯାଜପୁର, ବାଲେଶ୍ବର, କଟକ ଓ ଗଜପତି ଜିଲ୍ଲାରୁ ଆସୁଥିବା ରୋଗୀଙ୍କ ଉପରେ ଅଧିକ ଗୁରୁତ୍ବ ଦେବାକୁ କୁହାଯାଇଛି। ଯେଉଁ ରୋଗୀମାନଙ୍କର ଏସ୍ଏଆରଆଇ ଓ ଆଇଏଲଆଇ ଲକ୍ଷଣ ରହିଛି, ସେମାନଙ୍କ କୋଭିଡ୍ ପରୀକ୍ଷା ପାଇଁ ନିର୍ଦେଶ ଦିଆଯାଇଛି।
ସଂପୃକ୍ତ ରୋଗୀଙ୍କ ନାକ ଓ ଗଳାର ସ୍ବାବ୍ ସଂଗ୍ରହ କରିବା ସହିତ ସେମାନଙ୍କ ସମସ୍ତ ତଥ୍ୟ ଘରୋଇ ହସ୍ପିଟାଲ ସଂଗ୍ରହ କରିବ। ଯେଉଁ ବ୍ୟକ୍ତିମାନଙ୍କର ସ୍ବାବ୍ ସଂଗ୍ରହ କରାଯିବ, ସେମାନଙ୍କର ରାଜଧାନୀରେ ପୃଥକବାସରେ ରହିବା ଲାଗି ଆବଶ୍ୟକ ସୁବିଧା ସୁଯୋଗ ନ ଥିଲେ ସେମାନଙ୍କୁ ସରକାରୀ ସଙ୍ଗରୋଧ ବ୍ୟବସ୍ଥାକୁ ପଠାଯିବ। ରୋଗୀଙ୍କ ଗସ୍ତ ଖର୍ଚ ସଂପୃକ୍ତ ହସ୍ପିଟାଲ ବହନ କରିବ। ସେହିପରି ଯେଉଁ ରୋଗୀମାନେ ବସ୍ତିରେ ରହୁଥିବା ନଜରକୁ ଆସିବେ, ସେମାନଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା ଗ୍ରହଣ କରିବା ଲାଗି କୁହାଯାଇଛି। ସେମାନଙ୍କ ସ୍ବାବ୍ ସଂଗ୍ରହ ସହ ସରକାରୀ ସଙ୍ଗରୋଧ ବ୍ୟବସ୍ଥା ପଠାଇବା ଲାଗି ହସ୍ପିଟାଲ କର୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଛି। ହସ୍ପିଟାଲଗୁଡ଼ିକ ସେମାନଙ୍କର ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିବେ। ସରକାରୀ ସଙ୍ଗରୋଧ ବ୍ୟବସ୍ଥାକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯିବା ନେଇ ବିଏମ୍ସିର ଡେପୁଟି କମିସନର ସହିତ ସଂପୃକ୍ତ ଅଧିକାରୀ ଯୋଗାଯୋଗରେ ରହିବେ। ଯଦି କୌଣସି ରୋଗୀଙ୍କ ନମୁନା ପଜିଟିଭ୍ ଆସିଲେ ସଙ୍ଗେ ସଙ୍ଗେ ବିଏମ୍ସିକୁ ଜଣାଇବାକୁ କୁହାଯାଇଛି।
ସେହିପରି ଅନ୍ତଃବିଭାଗ ବା ଆଇପିଡିରେ ଯଦି କୌଣସି ରୋଗୀ ପଜିଟିଭ୍ ଚିହ୍ନଟ ହୁଅନ୍ତି ତାହାଲେ ସ୍ବାସ୍ଥ୍ୟସେବା ନିର୍ଦେଶାଳୟ ପକ୍ଷରୁ ଜାରି ନିର୍ଦେଶାବଳୀର ପାଳନ କରାଯିବ। ଏହାସହ ଯଦି ସଂପୃକ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସମୟରେ ବିଏମ୍ସି ପକ୍ଷରୁ ଗତ ମାସ ୩୦ ତାରିଖରେ ଜାରି ନିର୍ଦେଶାବଳିକୁ କଡ଼ାକଡ଼ି ପାଳନ କରିବା ଲାଗି କୁହାଯାଇଛି। ଆଇପିଡିରେ ଚିକିତ୍ସା ସମୟରେ ଯଦି କୌଣସି ରୋଗୀଙ୍କ ସ୍ବାବ୍ ସଂଗ୍ରହ କରାଯାଏ, ତାହାଲେ ତାଙ୍କୁ କରୋନା ରୋଗୀ ସନ୍ଦେହ ଭାବେ ଗ୍ରହଣ କରିବା ସହିତ ଆବଶ୍ୟକ ଚିକିତ୍ସା କରିବେ। ରିପୋର୍ଟ ନମୁନା ନ ଆସିବା ପର୍ଯ୍ୟନ୍ତ ସଂପୃକ୍ତ ରୋଗୀଙ୍କୁ ଅନ୍ୟ ରୋଗୀମାନଙ୍କଠାରୁ ଅଲଗା କରିବା ସହିତ ଟଏଲେଟ୍ ସଂଯୋଗ ଥିବା ସିଙ୍ଗିଲ କ୍ୟାବିନ୍ରେ ତାଙ୍କର ଚିକିତ୍ସା କରାଯିବ। ପଜିଟିଭ୍ ଚିହ୍ନଟ ହେଉଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ହସ୍ପିଟାଲ କର୍ମଚାରୀଙ୍କୁ ତାଲିକା ପ୍ରସ୍ତୁତ କରିବା ସହିତ ଏହାକୁ ବିଏମ୍ସିକୁ ଜଣାଇବା ଲାଗି କୁହାଯାଇଛି।
ଏହାସହ ହସ୍ପିଟାଲକୁ ଅଯଥାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼କୁ ବାରଣ କରିବା, ବସ୍ତି ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ୧୪ ଦିନିଆ ରୋଷ୍ଟର ଡ୍ୟୁଟି ସହିତ ହସ୍ପିଟାଲ ପକ୍ଷରୁ ସେମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉ। ହସ୍ପିଟାଲ ପରିସରରେ ମାସ୍କ ପିନ୍ଧିବା ସହିତ ୨ମିଟର ବ୍ୟବଧାନ ଓ ନିୟମିତ ହାତ ଧୋଇବା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି