କଳିଙ୍ଗ ଜ୍ୟୋତି ବ୍ୟୁରୋ ନ୍ୟୁୟର୍କ ୦୫/୦୭: ଚୀନର ଆକ୍ରମଣାତ୍ମକ ଓ ବିସ୍ତାରବାଦୀ ନୀତିରେ ବିରକ୍ତି ଏବଂ ଅସନ୍ତୋଷ ପ୍ରକାଶ କରି ଏବେ ସମଗ୍ର ଦୁନିଆର ଲୋକ ସଡକକୁ ଓହ୍ଲାଇଛନ୍ତି। ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଭାରତୀୟ ଆମେରିକୀ, ତିବ୍ବତି ଓ ତାଇଓ୍ଵାନୀ ନାଗରିକ ଚୀନ ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ଲୋକ ବୟକଟ୍ ଚାଇନା ଓ ଷ୍ଟପ୍ ଚାଇନା ଏବ୍ୟୁଜ୍ ପରି ପୋଷ୍ଟର ହାତରେ ଧରି ବିରୋଧ କରିଛନ୍ତି। ଦୁଇ ଦିନ ପୂର୍ବେ ସିକାଗୋରେ ମଧ୍ୟ ଚୀନ ବିରୋଧୀ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।
ଐତିହାସିକ ଟାଇମ୍ସ ସ୍କୋୟାରରେ ବଡ ସଂଖ୍ୟାରେ ଭାରତୀୟ-ଆମେରିକୀୟ ଲୋକ ଚୀନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଭାରତ ମାତା କି ଜୟ ଓ ଅନ୍ୟ ଦେଶଭକ୍ତି ନାରା ଦେଇଛନ୍ତି। ଏହା ସହିତ ଭାରତ ବିରୋଧରେ ଚୀନର ଆକ୍ରମଣାତ୍ମକୁ ନେଇ ଚୀନର ଆର୍ଥିକ ବହିଷ୍କାର ଏବଂ କୂଟନୈତିକ ସ୍ତରରେ ଏକ ଘରିଆ କରିବାକୁ ମଧ୍ୟ ଦାବି କରିଛନ୍ତି।
ନ୍ୟୁୟର୍କ ଓ ନ୍ୟୁଜର୍ସିରେ ରହୁଥିବା ଭାରତୀୟ ଏବଂ ଭାରତୀୟ ସଂଘ ପରିସଂଘର ଅଧିକାରୀ ବୟକଟ୍ ଚାଇନା, ଭାରତ ମାତା କି ଜୟ ଏବଂ ଚୀନୀ ଆକ୍ରମଣାତ୍ମକ ନୀତିକୁ ରୋକାଯାଉ ବୋଲି ନାରା ଦେଇଛନ୍ତି। ପ୍ରଦର୍ଶନକାରୀ କରୋନା ଭାଇରସ୍ ମହାମାରୀ କାରଣରୁ ମୁହଁରେ ମାସ୍କ ଲଗାଇ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ହାତରେ ସହିଦ୍ ଯବାନଙ୍କୁ ସଲାମ ପରି ପୋଷ୍ଟର ମଧ୍ୟ ଥିବା ଦେଖିବାକୁ ମିଳିଥିଲା।
ସାମିଲ୍ ହେଲେ ତିବ୍ବତି ଓ ତାଇଓ୍ଵାନୀ ଲୋକ
ଏହି ପ୍ରଦର୍ଶନରେ ତିବ୍ବତି ଓ ତାଇଓ୍ଵାନୀ ସମୁଦାୟର ସଦସ୍ୟ ମଧ୍ୟ ସାମିଲ ହୋଇଛନ୍ତି। ସେମାନେ ତିବ୍ବତ ଭାରତ ସହିତ ରହିଛି, ମାନବାଧିକାର, ଅଳ୍ପସଂଖ୍ୟକ ସମୁଦାୟଙ୍କ ଧର୍ମ, ହଂକଂ ପାଇଁ ନ୍ୟାୟ, ଚୀନ ମାନବତା ବିରୋଧରେ ଅପରାଧ ରୋକ ଓ ବୟକଟ୍ ଚାଇନା ପୋଷ୍ଟର ଧରି ବିରୋଧ ପ୍ରଦର୍ଶନ କରିଥିଲେ।