ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କ ପତଞ୍ଜଳିକୁ ପରାମର୍ଶ: କୋଭିଡ୍-୧୯ ଔଷଧ ତିଆରି କରିବା ଭଲ କଥା, କିନ୍ତୁ ଏଥିପାଇଁ ନିୟମ କାନୁନ ରହିଛି।
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) : ମଙ୍ଗଳବାର ଦିନ ଯୋଗ ଗୁରୁ ବାବା ରାମଦେବ ‘କରୋନିଲ୍ ଏବଂ ଶ୍ବାସରି’ ନାମରେ ଏକ ଔଷଧ ବାହାରିଥିବା ଘୋଷଣା କରିଥିଲେ। ଏହା କୋଭିଡ୍-୧୯ ରୋଗୀଙ୍କ ଠାରେ ୧୦୦% ସୁଫଳ ଦେଉଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଯୋଗ ଗୁରୁ ବାବା ରାମଦେବଙ୍କ ପ୍ରାୟୋଜିତ କମ୍ପାନି ‘ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍’ ପଠାଇଥିବା ରିପୋର୍ଟଗୁଡ଼ିକୁ ସରକାର ଅନୁଧ୍ୟାନ କରିବା ପରେ ଯାଇ କମ୍ପାନି ଦ୍ବାରା ପ୍ରସ୍ତୁତ କରୋନାଭାଇରସ୍ କୋଭିଡ୍-୧୯ ଔଷଧ ପ୍ରସାର ପାଇଁ ଅନୁମତି ମିଳିବ ବୋଲି ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ ବୁଧବାର ଦିନ କହିଛନ୍ତି।
ଶ୍ରୀପଦ ନାଏକ କହିଛନ୍ତି, ବାବା ରାମଦେବ ଦେଶକୁ ଗୋଟାଏ ନୂତନ ଔଷଧ ଦେଇଥିବା ଅତ୍ୟନ୍ତ ଭଲ କଥା, କିନ୍ତୁ ନିୟମ ଅନୁସାରେ ଏହା ପ୍ରଥମେ ଆୟୁଷ ମନ୍ତ୍ରାଳୟକୁ ଆସିବା କଥା।
ସେମାନେ ରିପୋର୍ଟ ପଠାଇଥିବା କଥା କହିଛନ୍ତି। ଆମେ ସେ ରିପୋର୍ଟର ଅନୁଧ୍ୟାନ କରିବୁ। ଏହା ପରେ ଯାଇ ସେମାନଙ୍କୁ ଅନୁମତି ମିଳିବ।ଔଷଧର ନାଁ, ଭାଗମାପ, ନମୁନା ଆକାର, ଗବେଷଣା ଅଧ୍ୟୟନ କରାଯାଇଥିବା ସ୍ଥାନ ଓ ଡାକ୍ତରଖାନା ବିଷୟରେ ସବିଶେଷ ବିବରଣୀ ଏବଂ ଇନ୍ଷ୍ଟିଚ୍ୟୁସ୍ନାଲ୍ ଏଥିକ୍ସ୍ କମିଟି କ୍ଲିୟରାନ୍ସ ଆଦି ଦାଖଲ କରିବାକୁ ମନ୍ତ୍ରାଳୟ ପତଞ୍ଜଳିକୁ କହିଛି।
ମନ୍ତ୍ରାଳୟ ଆଦେଶ ପରେ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ଟୁଇଟ୍ କରି କହିଛି ଯେ, ବୁଝାମଣା ଅସୁବିଧା ଦୂର ହୋଇଛି। ସେ ଦାବି କରିଛନ୍ତି ଯେ, ଆୟୁର୍ବେଦିକ ଉତ୍ପାଦର ନିୟନ୍ତ୍ରିତ ପରୀକ୍ଷଣ ନିମନ୍ତେ ନିର୍ଦ୍ଧାରିତ ନୀତିନିୟମ ଅନୁସରଣ କରାଯାଇ ଏହି ଔଷଧ ପ୍ରସ୍ତୁତି କରାଯାଇଛି।