ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୧/୦୭ : ଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ଡାକ୍ତରଖାନାରେ ଏକ ଆଶ୍ଟର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ମାଆର ଗର୍ଭରୁ ଶିଶୁକୁ କରୋନା ହୋଇଥିବା ଘଟଣା ଡାକ୍ତରଙ୍କୁ ଚକିତ କରିଛି। ଶିଶୁଟି ଜନ୍ମ ହେବା ପରେ ଡାକ୍ତରମାନେ ଏହା ଜାଣିବାକୁ ପାଇଥିଲେ । ଏହା ଦେଶର ପ୍ରଥମ ମାମଲା ବୋଲି ଡାକ୍ତରମାନେ କହିଛନ୍ତି।
ଆରଏମଏଲ୍ର ନବଜାତ ରୋଗ ବିଭାଗର ସହକାରୀ ପ୍ରଫେସର ଡକ୍ଟର ରାହୁଲ ଚୌଧୁରୀ କହିଛନ୍ତି ଯେ, ଯେଉଁ ସମୟରେ ଶିଶୁର ପ୍ରସବ ହୋଇଥିଲା ସେହି ସମୟରେ ମାଆ କରୋନାରୁ ସୁସ୍ଥ ହୋଇସାରିଥିଲେ। କିନ୍ତୁ ଯେତେବେଳେ ଶିଶୁଟି ପ୍ରସବ ହୋଇଥିଲା ଏବଂ ୬ଘଣ୍ଟା ପରେ ଏହାର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେତେବେଳେ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । କରୋନା ନେଗେଟିଭ୍ ଥିବା ମାଆଙ୍କ ଗର୍ଭରୁ କରୋନା ପଜିଟିଭ୍ ଶିଶୁ ଜନ୍ମ ହେବା ଦେଶରେ ପ୍ରଥମ ଘଟଣା ଅଟେ।
ସୂଚନାନୁସାରେ, ଦିଲ୍ଲୀର ନାଙ୍ଗଲୋଇ ନିବାସୀ ୨୫ ବର୍ଷୟା ରୁଚି ଗର୍ଭବତୀ ଥିଲେ। ଗତ ମାସରେ ଆରଏମଏଲ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଜୁନ୍ ୧୧ରେ, ଯେତେବେଳେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା, ସେତେବେଳେ ସେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କ ସ୍ୱାମୀ ମଧ୍ୟ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା । ଏହା ପରେ, ଜୁନ୍ ୨୫ରେ, କରୋନାର ପୁନଃ ଯାଞ୍ଚ କରାଯାଇଥିଲା, ଏଥିରେ ମଧ୍ୟ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଜୁଲାଇ ୭ରେ, ଯେତେବେଳେ ଡାକ୍ତରମାନେ ତୃତୀୟ ଥର ପାଇଁ RTPCR ପରୀକ୍ଷା କରିଥିଲେ, ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାର ଅର୍ଥ ରୁଚି କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇଥିଲେ। ରିପୋର୍ଟ ନେଗେଟିଭ୍ ଆସିବା ପରଦିନ ତାଙ୍କର ପ୍ରସବ କରାଯାଇଥିଲା ଏବଂ ପିଲାଟିର ନମୂନାକୁ ମାତ୍ର ୬ଘଣ୍ଟା ପରେ ପରୀକ୍ଷା କରାଯାଇଥିଲା, ଯାହା ପଜିଟିଭ୍ ବୋଲି ଜଣାପଡ଼ିଥିଲା। ଶିଶୁଟି ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧିନ ଅଛି।