![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ରାଜ୍ୟ ବିଜେପି ପଦାଧିକାରୀଙ୍କ ପ୍ରଥମ ଭର୍ଚୁଆଲ ବୈଠକ
ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ବିଜେପିର ଲକ୍ଷ୍ୟ: ସମୀର
ଆଗାମୀ ୬ ମାସ ପାଇଁ ରାଜନୈତିକ ଖସଡ଼ା ପ୍ରସ୍ତୁତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୨/୦୭: ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ବିଜେପି ପଦାଧିକାରୀଙ୍କ ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀକୁ ନଜରରେ ରଖି ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ଏହି ବୈଠକ ଆୟୋଜନ କରାଯାଇଥିଲା। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ ସଂଗଠନକୁ ଦୃଢ଼ କରିବା ପାଇଁ ବରିଷ୍ଠ ନେତାମାନେ ମାନସ ମନ୍ଥନ କରିଥିଲେ। ଏଥିରେ ଆସନ୍ତା ୬ ମାସ ପାଇଁ ରାଜନୈତିକ ଖସଡ଼ା ପ୍ରସ୍ତୁତ ହୋଇଥିଲା।
![](https://i0.wp.com/kalingajyoti.com/wp-content/uploads/2020/07/f4a39bcb-416b-400c-a04e-7ee55d98afa4.jpg?resize=588%2C302)
ବୈଠକକୁ ଉଦ୍ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସଂଗଠନ, ସେବା, ସଂଘର୍ଷକୁ ଆଧାର କରି ଆଗକୁ ବଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜନୀତିରେ ସେବାକୁ ହିଁ ଗୁରୁତ୍ବ ଦିଆଯାଇଛି। ଦଳର ସଂଗଠନ କେବଳ ନିର୍ବାଚନ ଜିତି କ୍ଷମତା ଦଖଲ କରିବା ପାଇଁ ନୁହେଁ ବରଂ ସମାଜକୁ ଭଲ ପାଇ ସେବା କରିବା ହିଁ ସଗଠନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ବିଗତ ସାଢ଼େ ତିନି ମାସ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ କ୍ରିୟାନ୍ୱୟନ କାରଣରୁ ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିପାରିଛନ୍ତି। କରୋନା ମହାମାରୀ ସମୟରେ ଦଳ ପକ୍ଷରୁ ଗରିବଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବା ସହ ମାସ୍କ ବଣ୍ଟାଯିବା ଓ ରକ୍ତଦାନ ଶିବିର ଆୟୋଜନ କରିବା ଭଳି ଅନେକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିଛି। ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶକୁ ପ୍ରାଥମିକତା ଦେଇଥିବା ବେଳେ ଓଡିଶାକୁ ବିକାଶର ପ୍ରୟୋଗଶାଳା କରାଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନାର ଅଧିକ ଲାଭ ଓଡ଼ିଶା ପାଇଛି। ଏହି କଥାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ଦଳକୁ ନେବାର ଆବଶ୍ୟକତା ରହିଛି। ଏହା ବାଦ୍ ଓଡିଆଙ୍କ ହକ୍ ପାଇଁ ଲଢ଼ିବାକୁ ବିଜେପିର କାର୍ଯ୍ୟକର୍ତା ମାନଙ୍କୁ ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ।
![](https://kalingajyoti.com/wp-content/uploads/2020/07/247489-1-1024x630.jpg)
କରୋନା ମହାମାରୀ ସତ୍ତ୍ବେ ଚଳିତ ବର୍ଷ ରଥଯାତ୍ରାର ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ସୁପ୍ରିମକୋର୍ଟଙ୍କ ସମେତ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ପୁରୀର ଜନସାଧାରଣ, ଛତିଶା ନିଯୋଗ, ସେବାୟତ ତଥା ମନ୍ଦିର ପ୍ରଶାସନକୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଅନ୍ୟ ନେତୃବୃନ୍ଦ ଧନ୍ୟବାଦ ଦେଇଥିଲେ।
![](https://i0.wp.com/kalingajyoti.com/wp-content/uploads/2020/07/5e2355bb-ad1d-4565-be2a-a8d24a75c6ec-1.jpg?resize=589%2C317)
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ ଯେ ଦଳର କାର୍ଯ୍ୟକର୍ତ୍ତାମାନେ ଟିମ୍ ୱାର୍କ କରି ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜବୁତ୍ କରି କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ସମଗ୍ର ଓଡିଶାକୁ ବିକାଶରେ ସାମିଲ କରିବା ଓ ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ସଂଗଠନର ଲକ୍ଷ୍ୟ ହେବା ଉଚିତ। ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କୋଭିଡ୍ ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତା କହିବା ସହ ମନରେଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ କହିଥିଲେ। ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ବୈଠକ ପରିଚାଳନା କରିଥିଲେ। ଆଗାମୀ କାର୍ଯ୍ୟକ୍ରମ ବିଷୟରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ଆଲୋଚନା କରିଥିଲେ। ସହିଦ ଯବାନ ଓ ଦିବଂଗତ ନେତାଙ୍କ ପାଇଁ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଶୋକ ପ୍ରସ୍ତାବ ଆଗତ କରିଥିଲେ। ସାଧାରଣ ସଂପାଦକ ରବି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ବି ଏଲ୍ ସନ୍ତୋଷ, ସହ ସମ୍ପାଦକ ସୌଦାନ ସିଂହ, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେ.ଭି.ସିଂହଦେଓ ଓ ବିଧାୟକ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ସମସ୍ତ ପଦାଧିକାରୀ ବୈଠକରେ ଉପସ୍ଥିତ ଥିଲେ।