ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା : ଆସନ୍ତା ଜୁଲାଇ ୩୧ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷାଫଳ, ଖୁବଶୀଘ୍ର ହେବ ତାରିଖ ଘୋଷଣା
ଭୁବନେଶ୍ୱର / କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : କରୋନାର ଭୂତାଣୁ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ କଟକଣା ଓ ସୁରକ୍ଷା ମଧ୍ୟରେ ମାଟ୍ରିକ ଖାତା ଦେଖା ଶେଷ ହୋଇଛି ଏବଂ ବର୍ତମାନ ଟାବୁଲେସନ ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ଆସନ୍ତା ଜୁଲାଇ ୩୧ ଭିତରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହ +୨ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି। ସଟଡ଼ାଉନ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିବେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।
କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି। ଏହାରି ଭିତରେ କେବେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ସେ ନେଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ। ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ତେବେ ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ।