ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ବିଧାୟକଙ୍କ ମୃତଦେହ : ଘଟଣାର ତୀବ୍ର ନିନ୍ଦା କରିବା ସହ ସିବିଆଇ ତଦନ୍ତ ପାଇଁ ଦାବୀ କଲେ ପଶ୍ଚିମବଙ୍ଗ ରାଜ୍ୟପାଳ, ବିଜେପି ରାଷ୍ଟ୍ରୀୟ ସଭାପତି, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
କୋଲକାତା / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୩/୦୭ : ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ । ଉତ୍ତର ଦିନଜପୁର ଜିଲାର ବିନ୍ଦାଲରେ ଥିବା ଘର ନିକଟରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବିଜେପି ନେତା ରାହୁଲ ସିହ୍ନା ଟିଏମସି ବିରୋଧରେ ହତ୍ୟା ଅଭିଯୋଗ ଲଗାଇ ସିବିଆଇ ତଦନ୍ତର ଦାବି କରିଛନ୍ତି। ସେ କହିଛନ୍ତି ଯେ ଆମେ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରୁଛୁ।
ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି ତୃଣମୂଳ କଂଗ୍ରେସ୍ ଏହି ହତ୍ୟା ପଛରେ ରହିଛି ଏବଂ ସେ ଏହାକୁ ଆତ୍ମହତ୍ୟା ରୂପ ଦେଇଛି। ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ହତ୍ୟା ପଛରେ ସତ୍ୟତା ପତ୍ତା ଲଗାଇବା ପାଇଁ ସିବିଆଇ ତଦନ୍ତର ଆଦେଶ ଦିଅନ୍ତୁ।
ସେହିପରି ନିରପେକ୍ଷ ତଦନ୍ତ ସହ ଘଟଣାର ସତ୍ୟାସତ୍ୟ ବାହାର କରିବାର ଆବଶ୍ୟକତା ଥିବା ଟ୍ୱିଟ୍ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ । ଦେବେନ୍ଦ୍ର ନାଥ ରାୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିଲା ତଦନ୍ତ କରୁଛି ପୁଲିସ । ସେହିପରି ବିଜେପି ରାଷ୍ଟ୍ରୀୟ ସଭାପତି ମଧ୍ୟ ହତ୍ୟା ଅଭିଯୋଗ ସହ ଘଟଣାର ତୀବ୍ର ନିନ୍ଦା କରିଛନ୍ତି ।
୨୦୧୬ସେ ହେମଟାବାଦରୁ ସିପିଆଇ ଟିକେଟରେ ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ୨୦୧୯ରେ ଦେବେନ୍ଦ୍ର ବିଜେପିରେ ସାମିଲ ହୋଇଥିଲେ । ଦେବେନ୍ଦ୍ରଙ୍କ ପରିବାର ଲୋକ ଏହି ଘଟଣା ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି। ସେହିପରି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ଘ କରି ଘଟଣାର (ଦାଦାଗିରି) ତୀବ୍ର ନିନ୍ଦା କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।
ବିଜେପିର ବରିଷ୍ଠ ନେତା ସାୟନ୍ତନ ବାସୁ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଯଦି ନିର୍ବାଚିତ ପ୍ରତିନିଧିମାନେ ସୁରକ୍ଷିତ ନୁହନ୍ତି, ତେବେ ସାଧାରଣ ଲୋକମାନେ କିପରି ସୁରକ୍ଷିତ ରହିବେ । ବିଜେପି ବିଧାୟକ ଦେବନ୍ଦ୍ର ନାଥ ରୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ବାସୁ । ସେହିପରି ବିଜେପରି ଜାତୀୟ ସମ୍ପାଦକ କୈଳାସ ବିଜୟବର୍ଗୀୟ ମଧ୍ୟ ରାୟଙ୍କ ହତ୍ୟା କରାଯାଇଛି ବୋଲି ଟୁଇଟ୍ କରିଛନ୍ତି ।