କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୬/୦୭:ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଅପରାହ୍ନ ପ୍ରାୟ ୫.୩୦ରେ ଭିଡିଓ କନ୍ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି, ପ୍ଲାଜମା ଥେରାପି କୋଭିଡ ମହାମାରୀ ବିରୋଧରେ ସଫଳ ଭାବେ ଲଢ଼ି ପାରିବ ବୋଲି ମୋର ଆଶା। ଦେଶର ହାତଗଣତି ରାଜ୍ୟ ଭିତରେ ଓଡ଼ିଶା ସାମିଲ ହୋଇଛି, ଯେଉଁଠାରେ କରୋନା ଚିକିତ୍ସା ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଛି। ଓଡ଼ିଶାର ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ। ପ୍ରତି ରାଜ୍ୟବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ୍। ଏଥିସହ ମୁଖ୍ୟମନ୍ତ୍ରୀ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ନିଜର ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଥିଲେ। କୋଭିଡ ମହାମାରୀ ମୁକାବିଲା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଓଡ଼ିଶାବାସୀଙ୍କୁ ମାଗଣାରେ ପ୍ଲାଜମା ଥେରାପିର ସୁବିଧା ଯୋଗାଇ ଦିଆଯିବ।
କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥା ଉଦ୍ଘାଟନ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମ୍ଇଟି ଡା. ସିବିକେ ମହାନ୍ତି ଓ ଏସ୍ସିବି ଡିନ୍ ଡା. ଦତ୍ତେଶ୍ୱର ହୋତା ପ୍ରମୁଖ ଉପସ୍ଥିତ ଥିଲେ।
ପ୍ଲାଜମା ଥେରାପି ବ୍ୟବସ୍ଥାର ପ୍ରାରମ୍ଭିକ ଦିନ ରାଜ୍ୟର ପ୍ରଥମ ପ୍ଲାଜମା ଡୋନର ଭାବେ ପ୍ଲାଜମା ଦାନ କରିଥିଲେ ଡା.ଚିତ୍ତ ଭୂଷଣ ପଣ୍ଡା। କୋଭିଡ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଡା. ପଣ୍ଡା ନିଜର ପ୍ଲାଜମା ଦାନ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଥିଲେ । ଏଥିସହ ମନୋଜ ବରାଳ, ଅବିନାଶ ରାଉତ ଓ ପଙ୍କଜ ବେହେରା ମଧ୍ୟ ପ୍ଲାଜମା ଦାନ କରିଥିଲେ।
ଦିଲ୍ଲୀ ଏବଂ ଗୁଜୁରାଟରେ ତୃତୀୟ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। ଏସ୍ସିବି ପରେ ଭୁବନେଶ୍ୱରରର ସମ୍ ଓ କିମସ୍ ଏବଂ କଟକର ଅଶ୍ୱିନୀରେ ପ୍ଲାଜମା ଥେରାପି ଆରମ୍ଭ ହେବ ।