କରୋନା କଟକଣା ମଧ୍ୟରେ ଆଜି ଭଦ୍ରକସ୍ଥ ଆରଡିଧାମରେ ବାବା ‘ଆଖଣ୍ଡଳମଣି’ଙ୍କର ଶ୍ରାବଣ ୩ୟ ସୋମବାର ଜଳାଭିଷେକ ଓ ଚିତାଲାଗି ନୀତି ସମ୍ପନ୍ନ
ଆରଡି / ଭଦ୍ରକ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଆଜି ପବିତ୍ର ଶ୍ରାବଣମାସର ତୃତୀୟ ସୋମବାରରେ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ଜଳାଭିଷେକ ଓ ଚିତାଲାଗି ନୀତି ସମ୍ପନ୍ନ ହୋଇଛି। ଦୀର୍ଘ ୪ମାସରୁ ଉର୍ଦ୍ଧ୍ବ ହେବ କରୋନା କଟକଣା ଜାରି ରହିଥିବାବେଳେ ପବିତ୍ର ଶ୍ରାବଣ ମାସରେ ପୀଠରେ ଯେପରି ଭକ୍ତମାନଙ୍କର ସମାଗମ ନହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ପୀଠ ସମେତ ବୈତରଣୀ ଓ ସାଳନ୍ଦୀ ନଦୀର ୩ଘାଟରେ ୧୪୪ଧାରା ଜାରି କରାଯାଇଛି। ଏଥିସହ ପୀଠର ସମସ୍ତ ପ୍ରବେଶ ପଥକୁ ପୁଲିସ ପକ୍ଷରୁ ସିଲ କରାଯାଇଥିବାବେଳେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡ଼ି କରାଯାଇଥିଲା। ଏପରିକି ଧାରା ଶ୍ରାବଣମାସର ପ୍ରତି ସୋମବାରରେ ମଣିବାବାଙ୍କୁ କାଉଡିଆମାନେ ଜଲଲାଗି କରିବାର ପରମ୍ପରା ରହିଥିଲେ ମଧ୍ୟ ମହାମାରୀ କରୋନା ପାଇଁ କଟକଣା ଜାରି କରାଯାଇଥିବାରୁ ସମଗ୍ର ପୀଠ ଭକ୍ତ ଶୂନ୍ୟ ହୋଇ ପଡିଥିଲା। ଫଳରେ ପୂର୍ବ ବର୍ଷ ପରି କାଉଡିଆଭକ୍ତଙ୍କର ନଥିଲା ଗହଳିଚହଳି କି ଶୁଭୁନଥିଲା ବୋଲବୋମ-ହରହରବୋମ ଧ୍ୱନି।
ଅନ୍ୟପଟେ ଚିତାଲାଗି ଅମାବ୍ୟାସା ନୀତିକାନ୍ତି ନିମନ୍ତେ ସେବାୟତଙ୍କ ପକ୍ଷରୁ ମଣିବାବାଙ୍କୁ ମହାସ୍ନାନ କରାଯିବା ପରେ ଅପରାହ୍ଣରେ ବଡସିଂହାର ବେଶରେ ସଜ୍ଜିତ କରାଯାଇ ଚିତାଲାଗି କରାଯାଇଥିଲା। ତାହାସହ ମନ୍ଦିରର ସେବାୟତମାନେ ମଣିବାବାଙ୍କ ଚଳନ୍ତି ପ୍ରତିମା ଶ୍ରାବଣୀ ମହାଦେବଙ୍କ ନିକଟରେ ରୀତିନୀତି ଅନୁଯାୟୀ ଶ୍ରାବଣୀ ଜଳାଭିଷେକ କରିବା ସହିତ ପୂଜାର୍ଚ୍ଚନା ଓ ନୀତିକାନ୍ତି ସମ୍ପନ୍ନ କରିଥିଲେ। ସଂଧ୍ୟାଧୂପ ନୀତି ପରେ ସେବାକାରୀଙ୍କ ପକ୍ଷରୁ ଚିତଉପିଠା ମଣିବାବାଙ୍କୁ ସମର୍ପଣ କରାଯାଇଥିଲା ଓ ମେଳା ସମ୍ପନ୍ନ କରାଯାଇଥିଲା।