କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୭: ଓଲିଉଡ୍ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି । 70 ବର୍ଷ ବୟସରେ ବିଜୟ ମହାନ୍ତି ପରଲୋକ ଗମନ କରିଛନ୍ତି । ଆଜି ସନ୍ଧ୍ୟାରେ ଗୁରୁତର ହେବାରୁ ତାଙ୍କୁ କେୟାର ହସ୍ପିଟାଲ ନିଆଯାଇଥିଲା । ଏଠାରେ ତାଙ୍କର ମୃତ୍ୟୁ ହୋଇଥିବାର କେୟାର ହସ୍ପିଟାଲ ମେଡ଼ିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।
କିଛିଦିନ ତଳେ ହାଇଦ୍ରାବାଦ ଯାଇଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା । ତାଙ୍କୁ ସେଠାକାର ଏକ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରେ ସେ ଭୁବନେଶ୍ବରରେ ଫେରିଥିଲେ ଓ ନିୟମିତ ଚିକିତ୍ସାରେ ରହିଥିଲେ । ତେବେ ଆଜି ସନ୍ଧ୍ୟାରେ ପୁଣି ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିଥିଲା । ତେଣୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । କେୟାର ହସପିଟାଲର ଜଣେ ଡ଼ାକ୍ତର ଏହି ପରଲୋକ ଖବରକୁ ସ୍ବୀକାର କରିଛନ୍ତି ।
ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ଓଲିଉଡ୍ ଜଗତରେ ଏକ ଯୁଗର ଅବସାନ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ ତଥା ନାଟ୍ୟକାର ଭାବେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ ବିଜୟ ମହାନ୍ତି । 1977ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ବିଜୟ ମହାନ୍ତି ନିଜ ଜୀବନକାଳ ମଧ୍ୟରେ 175 ଟି ଫିଲ୍ମରେ ଅଭିନୟ କରିଛନ୍ତି ।
‘ନାଗ ଫାଶ’ ଚଳଚ୍ଚିତ୍ରରୁ ଅଭିନୟ କରିଥିବା ବିଜୟ ମହାନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଜୟୀ ହୋଇଛନ୍ତି । ଉଭୟ ଚଳଚ୍ଚିତ୍ର, ମଞ୍ଚ ଓ ଯାତ୍ରା ଜଗତରେ ସେ ଛାଡି ଯାଇଛନ୍ତି ଏକ ସ୍ବତନ୍ତ୍ର ଛାପ ।
ଆଜି ସଂଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହେବାରୁ ତାଙ୍କୁ ସୋମବାର ସଂଧ୍ୟାରେ ଭୁବନେଶ୍ୱରସ୍ଥିତ କେୟାର ହସପିଟାଲରେ ଭର୍ତ୍ତି କରାଯାଇଛି । ଗତ କିଛିଦିନ ଧରି ସେ କେୟାର ହସପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଘରକୁ ଯିବାକୁ ଇଚ୍ଛା କରିବାରୁ ତାଙ୍କୁ କିଛିଦିନ ତଳେ ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ଆପାର୍ଟମେଣ୍ଟକୁ ଅଣାଯାଇଥିଲା । ଆଜି ପୁଣି ସେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତାଙ୍କୁ କେୟାର ହସପିଟାଲରେ ରେ ଭର୍ତ୍ତି କରାଯାଇଥିଲା । ଗତ ମାସରେ ତାଙ୍କୁ ହାଇଦ୍ରାବାଦର ଏକ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଗତ ୪/୫ ବର୍ଷ ହେବ ସେ ହାଇଦ୍ରାବାଦରେ ଥିବା ତାଙ୍କ ଝିଅ ପାଖରେ ରହୁଥିଲେ ।
ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ଦିଲ୍ଲୀରୁ ପ୍ରଶିକ୍ଷଣପ୍ରାପ୍ତ ବିଜୟ ମହାନ୍ତି ୧୯୭୬ ମସିହାରେ ‘ନାଗଫାଶ’ ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଉଚ୍ଚକୋଟୀର ଅଭିନୟ ନିମନ୍ତେ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଛନ୍ତି। ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ‘ଭୁଲି ହୁଏନା’ ନାମକ ଏକ ଚଳଚ୍ଚିତ୍ରରେ ସେ ନିର୍ଦେଶନା ଦେଇଛନ୍ତି।
ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ପଢିବା ବେଳେ ବିଶିଷ୍ଟ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହା, ରାଜବବର ଓ ଓମ ପୁରୀ ତାଙ୍କର ସହପାଠୀ ଥିଲେ ।