କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୭ : କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯଦି କେହି ଲୋକ ଆସୁଛନ୍ତି, ତେବେ ତାଙ୍କର ସୂଚନା ସ୍ଥାନୀୟ ଲୋକ ବିଏମ୍ସିର ଜୋନ୍ ଅଫିସ୍, ସର୍ଭେଲାନ୍ସ ଟିମ୍କୁ ଦେବାକୁ ବିଏମ୍ସି ପକ୍ଷରୁ ଅନୁରୋଧ କରାଯାଇଛି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ ଜଣେ ଆକ୍ରାନ୍ତ ଚିହ୍ନଟ ହେଲେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହେଉଛି। ଏହାର ଏକ ଡାଟାବେସ୍ ବିଏମ୍ସିରେ ପ୍ରସ୍ତୁତ ହୋଇଛି। କରୋନା ସଂକ୍ରମଣକୁ ରୋକିବାରେ ଏହି କଣ୍ଟାକ୍ଟ ଟ୍ରେସିଂ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ତେଣୁ ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସୂଚନା ଦେବେ, ସେମାନଙ୍କର ନାମ ଗୋପନ ରଖାଯିବ।
ବିଏମ୍ସିର କଣ୍ଟାକ୍ଟ ଟ୍ରେସିଂ ଡେସ୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁଗ୍ମ ସଚିବ ପାହ୍ୟାର ଏବଂ ଦୁଇ ଜଣ ଉପସଚିବ ପାହ୍ୟାର। ସେମାନେ ବିଏମ୍ସି ପକ୍ଷରୁ ନିୟୋଜିତ ହୋଇଥିବା ଦୁଇଜଣ ବରିଷ୍ଠ ମେଡିକାଲ ଅଧିକାରୀ, ୮ଜଣ ଆୟୁଷ ଡାକ୍ତରଙ୍କୁ ବୈଷୟିକ ସହଯୋଗ କରୁଛନ୍ତି। ହେଲେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତିଟି ଲୋକଙ୍କୁ ଚିହ୍ନଟ କରିବାକୁ ହେଲେ ଗୋଷ୍ଠୀସ୍ତରରେ ସଚେତନତା ସୃଷ୍ଟି ହେବା ଦରକାର ବୋଲି କୁହାଯାଇଛି।