ଜଣେ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଥିଲେ ବିଜୟ ମହାନ୍ତି। ତାଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି। ନାୟକ, ଖଳନାୟକ, ହାସ୍ୟ ଅଭିନେତା ସବୁ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ବିଜୟ ମହାନ୍ତି। ତାଙ୍କର ନିଖୁଣ ଅଭିନୟ ପ୍ରତିଟି ଚରିତ୍ରକୁ କରିଥିଲା ଜୀବନ୍ତ। କୋଟି କୋଟି ଓଡ଼ିଆଙ୍କ ମନରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିବା ବିଜୟ ଆଉ ଆମ ଗହଣରେ ନାହାନ୍ତି। ତାଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି। ଅଭିନୟରେ କୌଣସି ଚରିତ୍ରକୁ ସେ ଛୁଇଁ ନାହାନ୍ତି ବୋଲି ନାହିଁ । ସବୁ କ୍ଷେତ୍ରରେ ତାଙ୍କ ପ୍ରତିଭା ଦିଗନ୍ତ ବିସ୍ତାରି ଥିଲା । କେତେବେଳେ ସେ ନାୟକ ହେଇଛନ୍ତି ପୁଣି କେତେବେଳେ ଖଳନାୟକ । ପୁଣି କେଉଁଠି ହାସ୍ୟ ଅଭିନେତା ହୋଇ ହାସ୍ୟ ରସ ବାଣ୍ଟିଛନ୍ତି । ପୁଣି କେଉଁଠି ବାପା, ଭାଇ, ଜେଜେ, ଅଜା ଆଦି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ପ୍ରତିଟି ପର୍ଯ୍ୟାୟରେ ତାଙ୍କ ଅଭିନୟର ତୁଳନା ନାହିଁ । ସବୁଠି ଏବଂ ସବୁ ସିନେମାରେ ତାଙ୍କ ଅଭିନୟ ଖାଲି ବାରିହୁଏ ନାହିଁ ବରଂ ସ୍ମୃତି ହୋଇ ରହିଛି । ସେ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ସାହିତ୍ୟ ରଚନା ବି କରିଛନ୍ତି ।
୧୯୫୦ରେ ଏପ୍ରିଲ ୮ରେ କେନ୍ଦ୍ରାପଡ଼ା ଜିଲ୍ଲା ପାଣ୍ଡିରି ଗାଁରେ ଜନ୍ମ ହୋଇଥିବା ବିଜୟ ଯେ ଦିନେ ଏତେ ବଡ଼ କଳାକାର ହୋଇ ବାହାରିବେ ତାହା କେହି କେବେ କଳ୍ପନା କରିନଥିଲେ। କିନ୍ତୁ ବିଜୟଙ୍କ ଭିତରେ ଥିବା ପ୍ରତିଭା ତାଙ୍କୁ ଜଣେ ସଫଳ କଳାକାର ଭାବେ ପ୍ରତିଷ୍ଠିତ କରାଇପାରିଲା।ବିଜୟଙ୍କ ପିଲାବେଳେ ବାରପଦାରେ କଟିଥିଲା। ସେଠାରେ ଏମପିସି ହାଇସ୍କୁଲରେ ପଢ଼ିବା ବେଳେ ସେ ମଞ୍ଚ ନାଟକରେ ସାମିଲ ହୋଇଥିଲେ। ବି.ଏ ପାସ କରିବା ପରେ ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଅଭିନୟ ଶିକ୍ଷା କରିଥିଲେ। ୧୯୭୫ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ଅବସ୍ଥାନ କରିବା ଦହ ଥିଏଟର କରି ଆସିଥିଲେ। ଓଡ଼ିଶା ଫେରିବା ପରେ ସେ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ୧୯୭୭ ମସିହାରେ ବିଜୟ ମହାନ୍ତି ‘ଚିଲିକା ତୀରେ’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜୀବନ ପ୍ରାରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟିକୁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। କ୍ୟାରିୟର ଆରମ୍ଭରେ ତାଙ୍କ ଖଳନାୟକ ଭୂମିକା ମିଳିଥିଲା।
ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକା ଆଖି ସବୁ ଦେଖୁଛି, ଏକାଧିକ ଫିଲ୍ମରେ ତାଙ୍କର ପ୍ରଭାବଶାଳୀ ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା। ତାଙ୍କ ଅଭିନୀତ ଏମିତି ଗୁଡ଼ାଏ ସିନେମା ଅଛି ଯେଉଁଥିପାଇଁ ସେ ସର୍ବଦା ମନେ ରହିବେ । ‘ଆରତୀ’, ‘ମମତା ମାଗେ ମୂଲ’, ‘ଏଇ ଆମ ସଂସାର’, ‘ଆମ ଘର ଆମ ସଂସାର’, ‘କି ହେବ ଶୁଆ ପୋଷିଲେ’, ‘ଜଗା ହାତରେ ପଘା’, ‘ଭୀଷ୍ମ ପ୍ରତିଜ୍ଞା’, ‘ଭାଇ ହେଲା ଭଗାରୀ’, ‘ସୁନା ପଞ୍ଜୁରୀ’, ‘ଲକ୍ଷ୍ମଣ ରେଖା’,ରାକ୍ଷୀ ଭିଜିଗଲା ଆଖି ଲୁହରେ’ ଏବଂ ‘ଆଇଲଭ୍ ମାଇଁ ଇଣ୍ଡିଆ’ ଆଦି ଅନ୍ୟତମ । ବଡ଼ କଥା ହେଲା ତାଙ୍କ ଜୀବନ କାଳ ମଧ୍ୟରେ ସେ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ଭୁଲି ହୁଏନା’ରେ ନିର୍ଦ୍ଦେଶନା ଦେଇଥିଲେ । ଆରତୀ, ମମତା, ଏଇ ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା, ରାକ୍ଷୀ ଭିଜିଗଲା ଆଖି ଲୁହରେ, ଲକ୍ଷ୍ମଣ ରେଖା ପ୍ରଭୃତି ୧୮୦ରୁ ଅଧିକ ଫିଲ୍ମ କରିଛନ୍ତି ବିଜୟ। ଅଭିନୟ କରିବା ସହିତ ବିଜୟ ମହାନ୍ତି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ହେଉଛି ‘ଭୁଲି ହୁଏନା’।
ବହୁ ଧାରାବାହିକରେ ବି ସେ ଅଭିନୟର ଛାପ ଛାଡ଼ିଛନ୍ତି । ସେଭିତରେ ରହିଛି ‘ଆଶାର ଆଲୋକ’, ‘ଶ୍ରୀଜଗନ୍ନାଥ’, ‘ସୁଭଦ୍ରା’, ‘ସାରା ଆକାଶ’, ‘ସମୟ ଚକ’, ‘ସକାଳର ଅପେକ୍ଷାରେ’, ‘ନଦେଖିଲା ଲୋକ ଦେଖ’, ‘ମହାଯଜ୍ଞ’, ‘ବିଧାତାର ଖେଳ’ ଭଳି ବହୁ ଲୋକପ୍ରିୟ ଧାରାବାହିକ । ସେହିପରି ଅନେକ ନାଟକର ରଚନା ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ଓ ଅଭିନୟ କରିଛନ୍ତି । ନାଟକ ‘ଅଜାତି’ ଲାଗି ସେ ୨୦୦୯ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଯେଉଁ ନାଟକ ତାଙ୍କର ବେଶ୍ ଲୋକାଦୃତ ଓ ସଫଳ ହୋଇଥିଲା ।
୧୯୭୭ ମସିହା ଜାନୁଆରୀ ୧୪ତାରିଖରେ, ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ସେ ମଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଉଦ୍ୟମରେ ବାରିପଦାରେ ଯୁଗେଚ୍ଛା ନାମରେ ଏକ ନାଟ୍ୟଦଳ ଗଢ଼ି ଉଠିଥିଲା। ସେ ଦୂରଦର୍ଶନର ଆଶାର ଆଲୋକ, ଶ୍ରୀଜଗନ୍ନାଥ, ସୁଭଦ୍ରା, ସାରା ଆକାଶ, ସମୟ ଚକ, ସକାଳର ଅପେକ୍ଷାରେ, ନଦେଖିଲା ଲୋକ ଦେଖ, ମହାଯଜ୍ଞ, ବିଧାତାର ଖେଳ ପ୍ରଭୃତି ଧାରାବାହିକରେ ମଧ୍ୟ ସେ ଅଭିନୟ କରିଥିଲେ।
ଅଭିନୟ କ୍ଷେତ୍ରରେ ଅବଦାନ ପାଇଁ ୨୦୧୪ରେ ସେ ଜୟଦେବ ସମ୍ମାନ ପାଇଥିଲେ। ଏହାବ୍ୟତୀତ ସେ ୬ରୁ ଅଧିକ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, କଳା ସଂସ୍କୃତି କ୍ଷେତ୍ରକୁ ଅବଦାନ ନିମେନ୍ତ ଜାତୀୟ ପୁରସ୍କାର, ଓଡ଼ିଶା ସିନେ କ୍ରିଟିକ ସମ୍ମାନ ଆଦିରେ ସେ ସମ୍ମାନିତ ହୋଇଛନ୍ତି। ଓଡ଼ିଶା ଚଳଚ୍ଚିତ୍ରର ଶ୍ରେଷ୍ଠ ‘ଜୟଦେବ ପୁରସ୍କାର’ ସହ ୬ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଚଳଚ୍ଚିତ୍ର ‘ଆରତୀ’, ‘ମମତା ମାଗେ ମୂଲ’, ‘ଏଇ ଆମ ସଂସାର’, ‘ଆମ ଘର ଆମ ସଂସାର’, ‘ଭୀଷ୍ମ ପ୍ରତିଜ୍ଞା’ ଏବଂ ‘ଭାଇ ହେଲା ଭଗାରୀ’ ପାଇଁ ସେ ଏହି ପୁରସ୍କାର ପାଇଥିଲେ । ୧୯୮୭ରେ ଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ସିନେ କ୍ରିଟିକ୍ ଆୱାର୍ଡ ପାଇଥିଲେ।
ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବିବାହ କରିଥିଲେ ବିଜୟ। ଦୁହେଁ ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତି ମଧ୍ୟ। ତାଙ୍କ ଯୋଡ଼ି ଓଲିଉଡରେ ଏକ ସଫଳ ଯୋଡ଼ି ଭାବେ ପରିଚୟ ସୃଷ୍ଟି କରିଥିଲା। ତାଙ୍କର ଏକମାତ୍ର କନ୍ୟା ଜସ୍ମିନ ଅଛନ୍ତି।
ଅଭିନୟ ବ୍ୟତୀତ ରାଜନୀତିରେ ମଧ୍ୟ ଭାଗ୍ୟ ପରୀକ୍ଷା କରିଥିଲେ ବିଜୟ। ୨୦୧୪ରେ ସେକଂଗ୍ରେସରେ ଯୋଗ ଦେଇଥିଲେ। ଭୁବନେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ଛିଡ଼ା ହୋଇଥିଲେ। ମାତ୍ର ଏଥିରେ ସେ ପରାଜିତ ହୋଇଥିଲେ। ଏହାପରେ ସେ ରାଜନୀତିରୁ ଦୂରେଇ ଯାଇ ପୁଣି ଅଭିନୟରେ ମନ ବଳାଇଥିଲେ।
ସୋମବାର ରାତିରେ ବିଜୟଙ୍କର ପରଲୋକ ଘଟିଥିଲା। ତାଙ୍କ ମୃତ୍ୟୁ ଖବରରେ ବହୁ ଓଡ଼ିଆ ସିନେପ୍ରେମୀ ଗଭୀର ମର୍ମାହତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ଆମେ ‘କଳିଙ୍ଗ ଜ୍ୟୋତି‘ ପରିବାର ତରଫରୁ ଏହି ମହାନ କଳାକାର ତଥା ଏକାଧାରରେ ଜଣେ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ତଥା ନାଟ୍ୟକାର ସ୍ଵର୍ଗତ ବିଜୟ ମହାନ୍ତିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।