କଳିଙ୍ଗ ଜ୍ୟୋତି ଭୁବନେଶ୍ବର ୨୬/୦୬ : ସିବିଏସ୍ଇ ଓ ସିଆଇଏସ୍ସିଇ ବୋର୍ଡ ଦ୍ବାରା ପରିଚାଳିତ ଦଶମ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟଙ୍କୁ ଅବଗତ କରାଯାଇଛି। ତେବେ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ହେବ କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନି। ଯଦି ହୁଏ ତେବେ ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ନା ତାରିଖ ବଦଳିବ? ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ କିଭଳି ଗୁରୁତ୍ବ ଦିଆଯିବ? ଏସବୁ ବିଷୟକୁ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ସ୍ପଷ୍ଟ ଚିତ୍ର ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି।
ଜୁଲାଇ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଜେଇଇ ମେନ୍ ଓ ଜୁଲାଇ ୨୬ରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ଆଗରୁ ମଧ୍ୟ ଏହି ଦୁଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା। ଏପ୍ରିଲ୍ରେ ଜେଇଇ ମେନ୍-୨ ଓ ମେ’ରେ ନିଟ୍ ପ୍ରବେଶିକା ପରୀକ୍ଷା ହେବାର ଥିଲା। ତେବେ ମାର୍ଚ୍ଚ ମାସଠାରୁ କୋଭିଡ୍-୧୯ ଉଗ୍ର ହେବାରୁ ଉକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇରେ ପରୀକ୍ଷାକୁ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଏବେ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି। କରୋନା କମିବା ବଦଳରେ ଦିନକୁ ଦିନ ବଢ଼ିଚାଲିଛି। ତେଣୁ ପରୀକ୍ଷା କରାଇବା ସମ୍ଭବପର ହେବ ନାହିଁ ବୋଲି ଶିକ୍ଷାବିତ୍ମାନେ ମତପ୍ରକାଶ କରିଛନ୍ତି। ଏମିତିକି ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷାବିତ୍ମାନେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିକଟରେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ(ସିଟିଇଟି)-୨୦୨୦ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ନେଇ ପରୀକ୍ଷା ପରିଚାଳନା କରୁଥିବା ସିବିଏସ୍ଇ କର୍ତୃପକ୍ଷ ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୫ରେ ହେବାକୁ ଥିବା ସିଟିଇଟି ପରୀକ୍ଷା ସ୍ଥଗିତ ରହିଲା। ଜୁନ୍ ତୃତୀୟ ସପ୍ତାହରେ ଜାରି ହେବାକୁ ଥିବା ଆଡମିଟ୍ କାର୍ଡ ପ୍ରକାଶ କରାଯାଇ ନାହିଁ। ସ୍ଥିତିରେ ସୁଧାର ଆସିବା ପରେ ପରବର୍ତୀ ତାରିଖ ସମ୍ପର୍କରେ ବିଜ୍ଞପ୍ତି ଜାରି ହେବ। ପରବର୍ତୀ ନିଷ୍ପତ୍ତି ଜାଣିବା ପାଇଁ ସିଟିଇଟି ପରୀକ୍ଷା ଲାଗି ନାମ ପଞ୍ଜୀକରଣ କରିଥିବା ପରୀକ୍ଷାର୍ଥୀ ନୟମିତ ଭାବେ ‘www.ctet.nic.in’ ୱେବସାଇଟ୍କୁ ଦେଖିବା ଲାଗି କୁହାଯାଇଛି। ସେହିପରି ଏନ୍ଟିଏ ଦ୍ବାରା ପରିଚାଳିତ ନ୍ୟାସନାଲ କାଉନସିଲ୍ ଫର୍ ହୋଟେଲ ମ୍ୟାନେଜ୍ମେଣ୍ଟ ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହି ପ୍ରବେଶିକା ପରୀକ୍ଷା ଗତ ଜୁନ୍ ୨୨ରେ ଅନୁଷ୍ଠିତ ହେବାର ଥିଲା।