ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୫/୦୭ : ସୋନୁ ସୁଦ – ଏହି ନାଁ ବୋଧହୁଏ ଦେଶରେ କାହା ପାଇଁ ଆଉ ଅଛପା ନଥିବ । ମହାମାରୀରେ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇ ପୂରା ଦେଶବାସୀଙ୍କ ମନ ଜିଣିଥିବା ସୋନୁ ଏବେ ନୂଆ ମିଶନ ଆରମ୍ଭ କରିଛନ୍ତି । ପ୍ରବାସୀଙ୍କ ନଜରରେ ଭଗବାନ ପାଲଟି ଯାଇଥିବା ସୋନୁ ଏବେ ବିଦେଶରୁ ଛାତ୍ରଛାତ୍ରୀଙ୍କୁ ଆଣିବାକୁ ନୂଆ ମିଶନ ଆରମ୍ଭ କରିଛନ୍ତି ।
ସ୍ପାଇସଜେଟ ଏୟାରଲାଇନ୍ସ ସହ ମିଶି ବିଦେଶରେ ଫଶିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସୋନୁ ସୁଦ୍ । ସ୍ପାଇସଜେଟ ଓ ସୋନୁଙ୍କ ମିଳିତ ଉଦ୍ୟମରେ ୯ଟି ଚାଟାର୍ଡ ବିମାନ ଜରିଆରେ ଆସନ୍ତା ୧୦ ଦିନ ମଧ୍ୟରେ ୨୫୦୦ ଛାତ୍ରଛାତ୍ରୀଙ୍କୁ ବିଦେଶରୁ ଅଣାଯିବ । ଏପରିକି ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ଗୁରବାର ରାତିରେ କିର୍ଗିସ୍ତାନରୁ ୧୩୫ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିଛନ୍ତି ସୋନୁ ସୁଦ୍ । ଆଉ ବିମାନ ଭିତରୁ ଭିଡ଼ିଓ କରି ସୋନୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ।
ଲକଡାଉନ ଆରମ୍ଭରୁ ହିଁ ସୋନୁ ସୁଦ୍ ବିଭିନ୍ନ ସ୍ଥାନରେ ଫଶିଥିବା ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢାଇ ଏବେ ଘରେ ଘରେ ପରିଚିତ ହୋଇ ସାରିଲେଣି ସୋନୁ। ଏପରିକି କୌଣସି ଲୋକ ବାହାରେ ଫଶିଥିଲେ ସରକାରଙ୍କୁ ଜଣାଇବା ଅପେକ୍ଷା ସୋନୁ ସୁଦଙ୍କୁ ଜଣାଇବାକୁ ଅଧିକ ପସନ୍ଦ କରୁଛନ୍ତି। କାରଣ ସରକାରଙ୍କ ଠାରୁ ଆହୁରି ଶୀଘ୍ର ସହାୟତାର ହାତ ବଢାଉଛନ୍ତି ସୋନୁ। ଆଉ ଏଭଳି ପ୍ରବାସୀଙ୍କୁ ସାହାଯ୍ୟ କରିବା ଭିତରେ କିର୍ଗିସ୍ତାନରେ ଫଶି ରହିଥିବା ମେଡିକାଲ ଛାତ୍ରଛାତ୍ରୀ ସେମାନଙ୍କୁ ଭାରତକୁ ଫେରାଇ ଆଣିବାକୁ ସୋନୁଙ୍କୁ ଟ୍ୱିଟରରେ ଜଣାଇଥିଲେ । ଯାହା ଜାଣିବା ପରେ ନୂଆ ମିଶନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ସୋନୁ। ବିଦେଶରେ ଫଶିଥିବା ଛାତ୍ରଛାତ୍ରୀଙ୍କ ଏକ ତାଲିକା ପ୍ରସ୍ତୁତ କରିବା ସହ ଏମାନଙ୍କୁ ଫେରାଇ ଆଣିବା ପାଇଁ ଏକ ଟିମ୍ ତିଆରି କରିଥିଲେ।
ତାଲିକା ପ୍ରସ୍ତୁତ, ଟିମ୍ ବି ପ୍ରସ୍ତୁତ ଥିଲା । କିନ୍ତୁ ଛାତ୍ରଛାତ୍ରୀଙ୍କୁ କେମିତି ବିଦେଶରୁ ଅଣାଯିବ ସେ ବାବଦରେ ଯେତେବେଳେ ଚିନ୍ତା କରାଗଲା ସେତେବେଳେ ସହାୟତାର ହାତ ବଢାଇଥିଲା ସ୍ପାଇସଜେଟ । ସୋନୁଙ୍କ ଅନୁରୋଧକ୍ରମେ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିବା ପାଇଁ ୯ଟି ଚାଟାର୍ଡ ବିମାନ ଉଡାଇବାକୁ ରାଜି ହୋଇଥିଲା ସ୍ପାଇସଜେଟ । ଏଥିପାଇଁ ସୋନୁ ମଧ୍ୟ ସ୍ପାଇସଜେଟକୁ ଧନ୍ୟବାଦ ଜଣାଇଛନ୍ତି । ଏସବୁ ଭିତରେ କିର୍ଗିସ୍ତାନରୁ ଛାତ୍ରଛାତ୍ରୀଙ୍କୁ ନେଇ ସ୍ପାଇସ ଜେଟର ପ୍ରଥମ ବିମାନ ଭାରତରେ ପହଞ୍ଚିଛି । ଏପରିକି ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ୨୫୦୦ରୁ ୨୬୦୦ ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଅଣାଯିବ ବୋଲି କହିଛନ୍ତି ସୋନୁ । ଆଜି ଆଉ ଏକ ବିମାନ କିର୍ଗିସ୍ତାନରୁ ଭାଇଜାଗକୁ ଆସିବ ବୋଲି ସୂଚନା ଦେଇଛନ୍ତି ସୋନୁ । ଆଉ ସୋନୁଙ୍କ ଏଭଳି କାର୍ଯ୍ୟକୁ ଏବେ ପୂରା ଦେଶ ସଲାମ କରୁଛି ।