କଳିଙ୍ଗ ଜ୍ୟୋତି ବ୍ୟୁରୋ ପ୍ରୟାଗରାଜ ୨୫/୦୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ପ୍ରସ୍ତାବିତ ଭୂମିପୂଜନ ଉପରେ ରୋକ୍ ଲଗାଇବା ଦାବିରେ ଦାଖଲ ଯାଚିକାକୁ ଆହ୍ଲାବାଦ ହାଇକୋର୍ଟ ଶୁକ୍ରବାର ଖାରଜ କରିଛନ୍ତି। ହାଇକୋର୍ଟ ଦିଲ୍ଲୀର ସାମ୍ବାଦିକ ସାକେତ ଗୋଖଲେଙ୍କ ଆବେଦନକୁ ଖାରଜ କରି ଏହାକୁ ଆଧାରହୀନ ଦର୍ଶାଇଛନ୍ତି।
ଦିଲ୍ଲୀର ସାମ୍ବାଦିକ ସାକେତ ଗୋଖଲେଙ୍କ ପକ୍ଷରୁ ଦାଖଲ ପିଆଇଏଲ ଚିଠିରେ କୁହାଯାଇଥିଲା ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମିପୂଜନ କୋଭିଡ୍-୧୯ର ଅନଲକ୍-୨ର ଗାଇଡ୍ଲାଇନ୍କୁ ଉଲ୍ଲଂଘନ କରୁଛି। ଏଥିରେ କୁହାଯାଇଛି ଭୂମିପୂଜନ କାର୍ଯ୍ୟକ୍ରମରେ ପାଖାପାଖି ୩୦୦ ଲୋକ ଏକତ୍ର ହେବେ, ଯାହା କୋଭିଡ୍-୧୯ ନିୟମର ବୀପରିତ। ଲେଟର ପିଟିସନ ଜରିଆରେ ଭୂମିପୂଜନ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ଭୂମି ପୂଜନ କାର୍ଯ୍ୟକ୍ରମ ହେଲେ କରୋନା ସଂକ୍ରମଣ ବ୍ୟାପିବାର ବିପଦ ରହିଥିବା ସାମ୍ଵାଦିକ ପିଟିସନରେ କହିଥିଲେ।
ହାଇକୋର୍ଟ ଆବେଦନ ଖାରଜ କରି କହିଛନ୍ତି, ଆମେ ରାଜ୍ୟ ସରକାର ଓ ଆୟୋଜକଙ୍କଠୁ ଆଶା କରୁଛୁ ଯେ, ସାମାଜିକ ଦୂରତା ସମେତ କରୋନା ଗାଇଡ୍ଲାଇନ୍ର ପାଳନ କରାଯିବ। କୋର୍ଟ ଏହା ମଧ୍ୟ କହିଛନ୍ତି ପୂରା ଯାଚିକା କଳ୍ପନା ଉପରେ ଆଧାରିତ ଏବଂ ଏଥିରେ କୌଣସି ତଥ୍ୟ ନାହିଁ ଯେ କେମିତି ପ୍ରୋଟକଲର ଉଲ ଉଲ୍ଲଂଘନ ହେବ।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ଭୂମିପୂଜନ ଅଗଷ୍ଟ ୫ରେ ହେବାକୁ ଯାଉଛି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବହୁପ୍ରତୀକ୍ଷିତ କାର୍ଯ୍ୟକ୍ରମରେ ସାମିଲ ହେବେ। ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଶେଷ ବୈଠକରେ ମନ୍ଦିରର ଡିଜାଇନରେ ଅନେକ ପରିବର୍ତ୍ତନକୁ ମଞ୍ଜୁରୀ ମିଳିଛି। ଏବେ ମନ୍ଦିରର ଉଚ୍ଚତା ୨୦ ଫୁଟ୍ ବଢାଯାଇ ୧୬୧ ଫୁଟ୍ କରାଯିବ।