ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି) ୨୬।୦୬: ଏବେ ଦେଶରେ ଅନଲକ୍ ୨.୦ ଲାଗୁ ହେବାକୁ ଯାଉଛି। କରୋନା ଭାଇରସ୍ ଲକ୍ଡାଉନ୍ରେ ଦେଶରେ ଯାହା ସବୁ ଗତିବିଧି ବନ୍ଦ ଥିଲା ସେସବୁ ଖୋଲିବାର ପ୍ରକ୍ରିୟା ଅନଲକ ୧.୦ରେ ଆରମ୍ଭ ହୋଇଥିଲା। ମାତ୍ର ଯେଉଁଭଳି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି ଏମିତି ସ୍ଥିତିରେ ସ୍କୁଲ, କଲେଜ୍ ଖୋଲାଯିବା ମୁସ୍କିଲ ଲାଗୁଛି। ମେଟ୍ରୋ ଚଳାଚଳ ପାଇଁ ଆହୁରି ଅପେକ୍ଷା କରିବାକୁ ପଡିପାରେ। ଉଲ୍ଲେଖନୀୟ ଦେଶରେ ସଂପ୍ରତି ଦୈନିକ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଅନଲକ୍ ୨.୦ ନିଷ୍ପତ୍ତି ପାଇଁ ଚାଲିଛି ପ୍ରସ୍ତୁତି, କ’ଣ ଖୋଲିବ ସ୍କୁଲ-ମେଟ୍ରୋ-ବିମାନ ? ଏହା ହୋଇପାରେ ନିଷ୍ପତ୍ତି
ଶିକ୍ଷାନୁଷ୍ଠାନ, ସ୍କୁଲ, କଲେଜ୍ ସମେତ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ଏବେ ଭୁଲି ଯାଆନ୍ତୁ। ଅଧିକାଂଶ ରାଜ୍ୟ ତ ପୂର୍ବରୁ ବାକି ଥିବା ପରୀକ୍ଷା କିମ୍ବା ହେବାକୁ ଥିବା ପରୀକ୍ଷା ବାତିଲ୍ କରି ସାରିଛନ୍ତି। ସିବିଏସଇ କିମ୍ବା ଆଇସିଏସଇ ବୋର୍ଡ ପରୀକ୍ଷା ମଧ୍ୟ ବାତିଲ୍ ହୋଇ ସାରିଛି। ଅନଲକ୍ ୧ ମାର୍ଗଦର୍ଶିକାରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛଡା ଯାଇଥିଲା। ଅନଲକ୍ ୨ରେ ମଧ୍ୟ ସ୍ଥିତି ଏମିତି ରହିବା ଅଧିକ ସମ୍ଭାବନା ରହିଛି। ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ଖୋଲିବାର ପ୍ରଶ୍ନ ଏବେ ଉଠାଇବାକୁ ଚାହୁଁ ନାହାନ୍ତି।
ଲକ୍ଡାଉନ୍ ପରଠୁ ମେଟ୍ରୋ ବନ୍ଦ ରହିଛି। ସଂପ୍ରତି ମେଟ୍ରୋ ଚଳାଚଳ ସମ୍ଭାବନା ବହୁତ କମ ରହିଛି। ସରକାର ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେଇ ପାରି ନାହାନ୍ତି। ଏହାର କାରଣ ସମସ୍ତ ବଡ ସହରରେ କରୋନା ସଂକ୍ରମିତ ହୁ ହୁ ହୋଇ ବଢିବାରେ ଲାଗିଛି। ଦିଲ୍ଲୀରେ ସଂକ୍ରମିତ ସଂଖ୍ୟା ୭୦ ହଜାର ଟପିଥିବା ବେଳେ ମୁମ୍ବାଇରେ ମଧ୍ୟ ସମାନ ଅବସ୍ଥା। ବେଙ୍ଗାଲୁରୁରେ ମଧ୍ୟ କରୋନ ଥମିବାର ନାଁ ନେଉ ନାହିଁ। ଦେଶରେ ସଂପ୍ରତି ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇ ସାରିଛି। ଆଗାମୀ ଅନଲକ୍ ୨.୦ରେ କିଛି ବିଦେଶୀ ବିମାନ ଚଳାଚଳକୁ ମଞ୍ଜୁରୀ ମିଳିପାରେ। କିନ୍ତୁ ଆମେରିକା ଭାରତର ବନ୍ଦେ ଭାରତ ମିଶନକୁ ନେଇ ଆପତ୍ତି ଉଠାଇଛି। ଆମେରିକାର କହିବା କଥା ଭାରତର ବିମାନକୁ ଅବତରଣ କରିବା ପାଇଁ ଆମେରିକା ଅନୁମତି ଦେଇଛି, ମାତ୍ର ଆମେରିକୀ ବିମାନକୁକ ଭାରତରେ ଅବତରଣ ପାଇଁ ଅନୁମତି ମିଳୁନାହିଁ। ୟୁଏଇ ମଧ୍ୟ ସମାନ ଅଭିଯୋଗ କରିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଦୁବାଇ ଓ ଗଲ୍ଫ ଦେଶକୁ ବିମାନ ସେବା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। ରେଳ ସେବା ଦେଶରେ ଆଂଶିକ ଭାବେ ଆରମ୍ଭ ହୋଇ ସାରିଛି। ମାତ୍ର ଏହା ସ୍ଵାଭାବିକ ହେବାରେ ଆହୁରି ସମୟ ଲାଗିପାରେ। ଏହା ସହିତ ରେଲଓ୍ଵେ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳକୁ ବାଦ୍ ଦେଲେ ବାକି ଟ୍ରେନ୍ ଚଳାଚଳକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବାତିଲ୍ କରି ସାରିଛି। ରେଲଓ୍ଵେ ସର୍କୁଲାର ଜାରି କରି ସମସ୍ତ ଜୋନକୁ ଏପ୍ରିଲ ୧୪ କିମ୍ବା ଏହା ପୂର୍ବରୁ ବୁକ୍ ହୋଇଥିବା ସମସ୍ତ ଟିକେଟ୍ ପଇସା ଯାତ୍ରୀଙ୍କୁ ଫେରାଇ ଦେବାକୁ ସମସ୍ତ ଜୋନ୍କୁ କହିଛି।
କରୋନା ଭାଇରସ୍ ଲକ୍ଡାଉନ୍ କାରଣରୁ ଲୋକଙ୍କୁ ବହୁତ କ୍ଷତି ସହିବାକୁ ପଡିଛି। ଲୋକେ ବେରୋଜଗାର ହୋଇ ପଡିଛନ୍ତି। ତେଣୁ ରୋଜଗାର ବଢାଇବା ପାଇଁ ସରେକାର ଅନଲକ୍ ୨.୦ରେ ନୂତନ ପଦକ୍ଷେପ ନେଇ ପାରନ୍ତି। ଦକ୍ଷତା ପରିମାପକ କାମ ହୋଇପାରେ। ଏହି ସମୟରେ ଶିଳ୍ପକୁ ଆତ୍ମ ନିର୍ଭର କରାଯିବା ଉପରେ ଜୋର୍ ଦିଆଯାଇପାରେ। ଇଣ୍ଡଷ୍ଟ୍ରୀର ମାଲିକଙ୍କୁ ଯେତେ ଅଧିକ ସ୍ଥାନୀୟ ଲୋକଙ୍କୁ କାମ ଦେବାକୁ କୁହାଯାଇପାରେ।