![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭ : ରାଜ୍ୟ ସରକାର କୋଭିଡ୍-୧୯ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଅଧୀନରେ ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ଛୁଟି ସମୟରେ ମଧ୍ୟ ଶୁଖିଲା ଖାଦ୍ୟ ପ୍ରଦାନ କରିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିୟମାବଳୀ ଜାରି କରାଯାଇଛି। କରୋନା କଟକଣା ଯୋଗୁଁ ବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ଜୁନ୍ ୧୪ରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ୫୭ ଦିନ ପାଇଁ ଏହି ଭତ୍ତାରାଶି ପାଇପାରିବେ।
![](https://i0.wp.com/kalingajyoti.com/wp-content/uploads/2020/07/download-8-2.jpg?resize=478%2C84&ssl=1)
ଏହା ବ୍ୟତୀତ ଉକ୍ତ ଦିବସର ରୋେଷଇ ପାଇଁ ମିଳୁଥିବା ଅର୍ଥରାଶି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଭାବେ ଜମା କରାଯିବ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ଗଚ୍ଛିତ ଚାଉଳ ପ୍ରଦାନ କରାଯିବ। ଏନେଇ ବିଭାଗୀୟ ଅତିରିକ୍ତ ଶାସନ ସଚିବ ରଘୁରାମ ଆର.ଆୟାର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀଙ୍କୁ ଶୁକ୍ରବାର ଚିଠି ଲେଖି ନିୟମାବଳୀ ସଂକ୍ରାନ୍ତରେ ଅବଗତ କରାଇଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛ ଯେ ଯେଉଁ ବିଦ୍ୟାଳୟ ଗୁଡ଼ିକରେ ବଣ୍ଟନ ପରେ ବଳକା ଚାଉଳ ଉପଲବ୍ଧ ହେବ ସେଗୁଡ଼ିକ ନିକଟରେ ଥିବା ଅନ୍ୟ ବିଦ୍ୟାଳୟକୁ ପଠାଯିବାକୁ ବ୍ୟବସ୍ଥା କରାଯିବ।
![](https://kalingajyoti.com/wp-content/uploads/2020/07/Midday-meal-1024x538.jpg)
ବହୁ ବିଦ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଓ କ୍ବାରେଣ୍ଟାଇନ୍ ସେଣ୍ଟର ଚାଲୁଥିବାରୁ ସେଠାରେ ଚାଉଳ ଆବଣ୍ଟନ କରିବା ସମ୍ଭବ ନୁହେଁ। ସେଥିଯୋଗୁଁ ଏହି ଚାଉଳକୁ ଅନ୍ତତଃ ପକ୍ଷ ୩୨ ଟଙ୍କା ଦରରେ ସେଠାରେ ଖାଦ୍ୟ ଯୋଗାଣ କରୁଥିବା କିମ୍ବା ରନ୍ଧା କାର୍ଯ୍ୟ ନେଇ ଥିବା ସଂସ୍ଥାକୁ ବିକ୍ରି କରି ଉପଲବ୍ଧ ଅର୍ଥକୁ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ପ୍ରଧାନଶିକ୍ଷକ ଜମା ଦେବେ। ଅନ୍ୟପକ୍ଷରେ କ୍ବାରେଣ୍ଟାଇନ୍ ସେଣ୍ଟର ଓ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ବିଦ୍ୟାଳୟରୁ ଖାଲି ହେବା ପରେ ସେଗୁଡ଼ିକୁ ବିଶୋଧନ କରାଯିବ। ପ୍ରଧାନ ଶିକ୍ଷକମାନେ ବିଦ୍ୟାଳୟ ପ୍ରକୋଷ୍ଠ ସମ୍ପୂର୍ଣ୍ଣ ବିଶୋଧନ ହେବା ପରେ ଏହି ଆବଣ୍ଟନ ପ୍ରକ୍ରିୟା ସେଠାରେ ଆରମ୍ଭ କରିପାରିବେ। ବିତରଣ ସମୟରେ ମାସ୍କ ପରିଧାନ କରିବା, ସାନିଟାଇଜ୍ ହେବା ଓ ସାମାଜିକ ଦୂରତା ବଜାୟ ରଖିବା ଭଳି କୋଭିଡ୍-୧୯ ନିୟମାବଳୀ ପାଳନ କରିବା ବାଧ୍ୟତାମୁଳକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।