![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୫/୦୭ : ଚଳିତ ବର୍ଷ ଖରିଫ୍ ଓ ରବି ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସମବାୟ ବିଭାଗ ପକ୍ଷରୁ ଏନେଇ ଆଜି ପ୍ରକାଶ ପାଇଥିବା ସଂକଳ୍ପନାମା ଅନୁଯାୟୀ ଭାଗ ଚାଷୀଙ୍କ ସମେତ ଅନ୍ୟ ସମସ୍ତ ପ୍ରକାର ଚାଷୀ ଏହି ବୀମା ଯୋଜନାରେ ସାମିଲ୍ ହେବେ। ଋଣ ନେଇନଥିବା ଚାଷୀ ଏସମ୍ପର୍କିତ କାଗଜପତ୍ର ଓ ଆତ୍ମଘୋଷିତ ପ୍ରମାଣପତ୍ର ଦାଖଲ କରିବା ଜରୁରୀ। ଋଣ ନେଇଥିବା ଓ ନେଇ ନଥିବା କୃଷକଙ୍କ ପାଇଁ ଏହା ଇଛାଧୀନ ହେବ। କୃଷି ଋଣ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ। ଆଧାର କାର୍ଡ ପାଇଁ ପଞ୍ଜୀକରଣ କରିଥିବା କୃଷକ ମଧ୍ୟ ଋଣ ପାଇପାରିବେ।
![](https://i0.wp.com/kalingajyoti.com/wp-content/uploads/2020/07/vzdvzfv.jpg?resize=447%2C224&ssl=1)
୨୦୨୦-୨୧ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିମନ୍ତେ ୩୦ଟି ଜିଲାକୁ ୬ଟି କ୍ଲଷ୍ଟର୍ରେ ବିଭକ୍ତ କରାଯାଇଛି। ଫସଲକୁ ବୀମାଭୁକ୍ତ କରିବା ପାଇଁ ତିନିଟି ସଂସ୍ଥାକୁ ନିଯୁକ୍ତ କରାଯାଇଛି। ଅମଳ, ରୋପଣ ଓ କୀଟ ଲାଗିବା କାରଣ ପାଇଁ ୭୫ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହେଲେ ବୀମା ରାଶି ମିଳିବ। ମରୁଡ଼ି, ବନ୍ୟା, ବ୍ୟାପକ କୀଟ ପୋକ ଲାଗିବା ଅବା ରୋଗଗ୍ରସ୍ତ ହେବା, ଭୂସ୍ଖଳନ, ପ୍ରାକୃତିକ କାରଣ ପାଇଁ ଅଗ୍ନିକାଣ୍ଡ, ବଜ୍ରପାତ, ବାତ୍ୟା ଓ ଝଡ଼ ବର୍ଷା, କୁଆପଥର ମାଡ଼ ଯୋଗୁଁ ଛିଡ଼ା ହୋଇଥିବା ଫସଲ ନଷ୍ଟ ହେଲେ ବୀମା ସହାୟତା ଉପଲବ୍ଧ କରାଯିବ। ଅଦିନିଆ ବର୍ଷାରେ ଅମଳ ଫସଲ ନଷ୍ଟ ହେଲେ ମଧ୍ୟ ଏହା ବୀମା ଅନ୍ତର୍ଭୁକ୍ତ ହେବ। ତେବେ ଅମଳର ୨ ସପ୍ତାହ ମଧ୍ୟରେ ଫସଲ ନଷ୍ଟ ହେଲେ ବୀମା ରାଶି ମିଳିପାରିବ। ପ୍ରତିକୂଳ ପରିସ୍ଥିତି ଯୋଗୁଁ ଅମଳ ହେବାର ୧୫ ଦିନ ପୂର୍ବରୁ ୫୦ ପ୍ରତିଶତରୁ କମ୍ ଫସଲ ପ୍ରଭାବିତ ହେଲେ ବି ଏହା ବୀମା ରାଶି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବ।
ଯୋଜନା ଓ ସଂଯୋଜନା, କୃଷି ଓ ସମବାୟ ବିଭାଗ ପରସ୍ପର ମଧ୍ୟରେ ଅମଳ, ଚାଷ ଜମି ତଥା ଆବଣ୍ଟିତ ବୀମା ରାଶି ସମ୍ପର୍କିତ ତଥ୍ୟର ଆଦାନ ପ୍ରଦାନ କରିବେ। ନିୟମ ଅନୁସାରେ ବୀମା କମ୍ପାନୀମାନେ କାର୍ଯ୍ୟକରିବା ବାଧ୍ୟତାମୂଳକ ହେବ। ଖରିଫ ଫସଲ ମଧ୍ୟରେ ଧାନ, ଚିନା ବାଦାମ, କପା, ହଳଦୀ, ଅଦା, ହରଡ଼, ମକା ଓ ମାଣ୍ଡିଆ ଫସଲ ବୀମା ଭୁକ୍ତ ହୋଇପାରିବ। ସେହିପରି ରବି ଫସଲରେ ଶୋରିଷ, ଆଳୁ, ଚିନା ବାଦାମ, ବିରି, ପିଆଜ, ଆଖୁ ଓ ସୂର୍ଯ୍ୟମୁଖୀ ଫୁଲ ଅନ୍ତର୍ଭୁକ୍ତ ହୋଇଛି। ମହାନଗର ନିଗମ, ମ୍ୟୁନିସିପାଲିଟି, ଏନ୍ଏସି, ଗ୍ରାମ ପଞ୍ଚାୟତରେ ଫସଲ ବୀମା ଭୁକ୍ତ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।