![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୭ : ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲ ବାହାରେ ଆଗଧାଡିର କରୋନା ଯୋଦ୍ଧା ପୋଲିସ ଅଫିସରଙ୍କ ମୃତଦେହ ପଡି ରହିବା ଭଳି ସମ୍ବେଦନଶୀଳ ଘଟଣା ପରେ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଏଣିକି କରୋନାରେ ମୃତ୍ୟୁ ହେଲେ ମୃତଦେହକୁ ମିଳିବ ସମ୍ମାନ । କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ପରିବାରକୁ ହସ୍ତାନ୍ତର ନେଇ ସର୍ତମୂଳକ ଅନୁମତି ଦିଆଯିବ । ମୃତଦେହକୁ ସମ୍ମାନର ସହିତ ନେବା ପାଇଁ ଅନୁମତି ମିଳିବ । ମହାମାରୀ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହ ସତ୍କାର ନେଇ ରାଜ୍ୟ ସରକାରଙ୍କ ତରଫରୁ ଆଜି ଗାଇଡଲାଇନ ଜାରି ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିସନର (ଏସ୍ଆରସି) ପ୍ରଦୀପ କୁମାର ଜେନା ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରମାନଙ୍କୁ ଚିଠି ଲେଖିଛନ୍ତି ।
ମୃତଦେହ ନ ଛୁଇଁ ନିଜର ଧର୍ମୀୟ ବ୍ୟବସ୍ଥାରେ ସତ୍କାର ପାଇଁ ଅନୁମତି ମିଳିବ ବୋଲି ଏସ୍ଆରସି ଶ୍ରୀ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି । ମୃତଦେହକୁ ଲିକ୍ ପ୍ରୁଫ୍ ପ୍ଲାଷ୍ଟିକ୍ ବ୍ୟାଗ୍ ରେ ରଖାଯିବ । ବ୍ୟାଗ୍ ର ବାହାର ଅଂଶ କୁ ‘ହାଇପୋକ୍ଲୋରାଇଟ୍ ଡିକଂଟାମିନେଟ୍’ କରାଯିବ ।
ଯଦି କରୋନାରେ ମୃତ ବ୍ୟକ୍ତି ଅନ୍ତିମ ସତ୍କାର ସମୟରେ ପରିବାର ସଦସ୍ୟ ଯିବାକୁ ଚାହୁଁଛନ୍ତି, ତେବେ ସେଠାରେ ସେମାନଙ୍କୁ ନିଜର ଧର୍ମ ଅନୁସାରେ ମୃତଦେହକୁ ଛୁଇଁବାକୁ ସୁଯୋଗ ମିଳିବ ନାହିଁ । ମୃତଦେହ ଠାରୁ ଦୂରରେ ରହିବାକୁ ପଡ଼ିବ । ଏଥିସହିତ ପରିବାର ଲୋକଙ୍କୁ ମାସ୍କ ଓ ଗ୍ଲୋଭ୍ସ ପିନ୍ଧିବାକୁ ପଡ଼ିବ । ଅନ୍ତିମ ସଂସ୍କାର ସ୍ଥଳ ସର୍ବସାଧାରଣ ହୋଇଥିବାରୁ ଏଠାରେ ଛେପ ପକାଇପାରିବେ ନାହିଁ । ଏଥି ସହ ମୃତଦେହକୁ ଗାଧୋଇ ଦେବା, ଚୁମ୍ବନ, ଆଲିଙ୍ଗନ ଇତ୍ୟାଦି ସଂପୂର୍ଣ୍ଣ ବାରଣ କରାଯାଇଛି । ଶେଷକୃତ୍ୟ ପରେ ପରିବାର ସଦସ୍ୟଙ୍କୁ ଚିତାଭସ୍ମ ନେବାକୁ ଅନୁମତି ମିଳିବ । ପରିବାର ଲୋକେ ଶେଷକୃତ୍ୟରେ ଭାଗ ନ ନେଇ, ସରକାରୀ ବ୍ୟବସ୍ଥାରେ ସତ୍କାର ହେବ ।