ବଳଦ ନଥିବାରୁ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଲଙ୍ଗଳ ଧରି ହଳ କରୁଥିଲେ ଦୁଇ ଝିଅ, ଖବର ପାଇବା ପରେ ଟ୍ରାକ୍ଟର ପଠାଇଲେ ସୋନୁ ସୁଦ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭: କରୋନା କାଳରେ ଜମି ହଳ ପାଇଁ ବଳଦ କିଣିବା ପାଇଁ ବାପାଙ୍କ ପାଖରେ ଟଙ୍କା ନଥିବାରୁ ଦୁଇଝିଅ ବଳଦ ଭଳି କାମ କରୁଥିବାର ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ବାପାଙ୍କ କାନ୍ଧରେ ବୋଝ ନହୋଇ ଦୁଇ ଝିଅଙ୍କ ଏଭଳି କାମକୁ ଅନେକ କ୍ଷେତ୍ରରେ ପ୍ରଶଂସା ବି କରାଯାଇଥିଲା। ତେବେ ଦୁଇଝିଅ ବଳଦ ଭଳି କାମ କରୁଥିବାର ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବା ପରେ ସାହାଯ୍ୟର ହାତ ବଢ଼ାଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍।
ପୂର୍ବରୁ ପ୍ରବାସୀଙ୍କୁ ନିଜ ଘରେ ପହଞ୍ଚାଇ ସେମାନଙ୍କର ଭଗବାନ ପାଲଟିଥିବା ସୋନୁ ଏବେ ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାରେ ବସବାସ କରୁଥିବା ନାଗେଶ୍ୱର ରାଓଙ୍କ ପାଇଁ ଭଗବାନ ହୋଇ ଉଭା ହୋଇଛନ୍ତି। ଭିଡିଓ ଦେଖିବା ପରେ ଏବେ ସୋନୁ ନାଗେଶ୍ୱର ରାଓଙ୍କୁ ଟ୍ରାକ୍ଟର ଦେବେ ବୋଲି ଟୁଇଟ୍ କରି ଜଣାଇଛନ୍ତି।
ଭାଇରାଲ ହୋଇଥିବା ଭିଡିଓକୁ ରି-ଟୁଇଟ୍ କରି ସୋନୁ ଲେଖିଛନ୍ତି ଯେ, ଏହି ପରିବାର ବଳଦରେ ହଳ କରିବା ପାଇଁ ଯୋଗ୍ୟ ନୁହଁନ୍ତି। ସେମାନେ ଏକ ଟ୍ରାକ୍ଟର ପାଇଁ ଯୋଗ୍ୟ ଅଟନ୍ତି | ତେଣୁ ତୁମକୁ ଗୋଟିଏ ଟ୍ରାକ୍ଟର ପଠାଉଛି | ସନ୍ଧ୍ୟା ସୁଦ୍ଧା ଏକ ଟ୍ରାକ୍ଟର ଆପଣଙ୍କ କ୍ଷେତରେ ହଳ କରିବ |
ତେବେ ଭିଡିଓ ଭାଇରାଲ ପରେ ଗତକାଲି ଏଭଳି ଟୁଇଟ୍ କରିଥିଲେ ସୋନୁ। ଗତକାଲି ସନ୍ଧ୍ୟା ସୁଦ୍ଧା ନାଗେଶ୍ୱର ରାଓଙ୍କ ଘରେ ଟ୍ରାକ୍ଟର ପହଞ୍ଚିବା ପରେ ସେ ସୋନୁଙ୍କୁ ଭଗବାନ ବୋଲି କହିଛନ୍ତି। ସୋନୁ ପରଦାରେ ଜଣେ ଖଳନାୟକ ହୋଇପାରନ୍ତି କିନ୍ତୁ ବାସ୍ତବ ଜୀବନରେ ସେ ଆମ ପାଇଁ ହିରୋ ଅଟନ୍ତି | ମୁଁ ଏବଂ ମୋ ପରିବାର ସୋନୁଙ୍କୁ ତାଙ୍କର ଦୟା ପାଇଁ ଅଭିବାଦନ ଜଣାଉଛି।
ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାରେ ବସବାସ କରୁଥିବା ନାଗେଶ୍ୱର ରାଓଙ୍କ ଚା’ ଦୋକାନଟିଏ ଥିଲା। ଏହି ଚା’ ଦୋକାନରୁ ଯେତିକି ରୋଜଗାର ହୋଇଥାଏ ସେଥିରେ ତାଙ୍କ ପରିବାର ୪ ପ୍ରାଣୀ ଚଳି ଥାଆନ୍ତି। କିନ୍ତୁ ଲକଡାଉନ ପରେ ଲୋକ ବାହାରକୁ ବାହରିବା କମ କରିବା ପରେ ତାଙ୍କ ବେପାର ମାନ୍ଦା ହୋଇଥିଲା। ତେଣୁ ଚା’ ଦୋକାନ ଖୋଲିଲେ ବି ସେମିତି କିଛି ରୋଜଗାର ନହେବାରୁ ନାଗେଶ୍ୱର ରାଓଙ୍କ ଦୋକାନ ଗତ ୩ ମାସ ହେବ ବନ୍ଦ ରହିଛି। ପରିବାର ଚଳାଇବା ପାଇଁ ନାଗେଶ୍ୱର ଶେଷରେ ଚାଷ କାମ କରି ଦୁଇ ପଇସା ରୋଜଗାର କରିବେ ବୋଲି ମନସ୍ଥ କରିଥିଲେ। କିନ୍ତୁ ଆର୍ଥିକ ଅନଟନ ତାଙ୍କ ଉପରେ ଏହି ସମୟରେ ଦାଉ ସାଜିଥିଲା। ଚାଷ ପାଇଁ ନାଗେଶ୍ୱରଙ୍କ ପାଖରେ ନା ଥିଲା ସାର ନା ଚାଷ ହଳ ପାଇଁ ବଳଦ । ଏପଟେ ନୂଆ ବଳଦ କିଣିବା ପାଇଁ ତାଙ୍କ ପାଖରେ ସେତିକି ଅର୍ଥ ବି ନଥିଲା। ବାପାଙ୍କ ଏଭଳି ଅସହାୟ ଅବସ୍ଥାକୁ ଦେଖି ଦୁଇ ଝିଅ ଭେନେଲା ଓ ଚନ୍ଦନା ଜମିରେ ଚାଷ ପାଇଁ ଅଣ୍ଟା ଭିଡିଥିଲେ।