ତିନୋଟି ଉଚ୍ଚ ଦକ୍ଷତା ବିଶିଷ୍ଟ କରୋନା ପରୀକ୍ଷଣ କେନ୍ଦ୍ରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ନୋଏଡ଼ା, ମୁମ୍ବାଇ ଏବଂ କୋଲକାତା ‘ଆଇସିଏମଆର’ ପରିସରରେ ହେଲା ପ୍ରତିଷ୍ଠା
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୭ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ଉଚ୍ଚ ଦକ୍ଷତା ବିଶିଷ୍ଟ କୋଭିଡ୍ ପରୀକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ଭିଡିଓ କନଫେରେନ୍ସିଂ ଜରିଆରେ ନୋଏଡ଼ା, ମୁମ୍ବାଇ ଏବଂ କୋଲକାତାଠାରେ ଏହି ୩ଟି ଅତ୍ୟାଧୁନିକ କୋଭିଡ-୧୯ ପରୀକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ସେ ଏସବୁ ପରୀକ୍ଷାଗାରଗୁଡ଼ିକର ଉଦଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ମୋଦୀ କହିଛନ୍ତି ଯେ କରୋନା ବିରୁଦ୍ଧରେ ଲଢେଇ କରିବାକୁ ହେଲେ ଆମକୁ କରୋନା ସଂପର୍କିତ ଆବଶ୍ୟକ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ହେବ । ଏଥିପାଇଁ ପୂର୍ବରୁ ସରକାର ୧୫ ହଜାର କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି । ଭାରତରେ କରୋନା ଜନିତ ମୃତ୍ୟୁ ଅନ୍ୟ ଦେଶମାନଙ୍କ ତୁଳନାରେ କମ ବୋଲି ସେ କହିଛନ୍ତି ।
ନୋଇଡାରେ ଏହି ପରୀକ୍ଷାଗାର ଆଇସିଏମଆର-ଜାତୀୟ କର୍କଟ ନିରାକରଣ ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ଅବସ୍ଥିତ । ସେହିପରି ମୁମ୍ବାଇରେ ଏହା ଆଇସିଏମଆର-ଜାତୀୟ ପ୍ରଯଜନ ଗବେଷଣା ପ୍ରତିଷ୍ଠାନ ଓ କୋଲକତାରେ ଏହା ଆଇସିଏମଆର-ଜାତୀୟ କୋଲେରା ଓ ସଂକ୍ରାମକ ରୋଗ ପ୍ରତିଷ୍ଠାନ ପରିସରରେ ଅବସ୍ଥିତ ।
ଏସବୁ ପରୀକ୍ଷାଗାର ଗୁଡ଼ିକ କାର୍ଯ୍ୟକ୍ଷମ ହେବା ଫଳରେ ଦେଶର କୋଭିଡ ପରୀକ୍ଷା କ୍ଷମତା ବୃଦ୍ଧି ପାଇବ । ଏହି ୩ଟି ପରୀକ୍ଷାଗାରରେ ଦିନକୁ ୧୦ ହଜାରରୁ ଅଧିକ ନମୁନା ପରୀକ୍ଷଣ ହୋଇପାରିବ । ଏହାଛଡ଼ା ଏଗୁଡ଼ିକରେ ଥିବା ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ପରୀକ୍ଷାଗାର କର୍ମୀ ବା ଲାବରୋଟୋରୀ ଟେକନିସିଆନମାନେ ସୁରକ୍ଷିତ ରହି ନମୁନା ପରୀକ୍ଷଣ କରିପାରିବେ । ଏହି ଉଚ୍ଚ ଦକ୍ଷତାବିଶିଷ୍ଟ ପରୀକ୍ଷଣ କେନ୍ଦ୍ର ଗୁଡ଼ିକ ଦ୍ୱାରା ଦେଶରେ କରୋନା ପରୀକ୍ଷଣ କ୍ଷମତା ବଢ଼ିବା ସହ ପ୍ରାରମ୍ଭରୁ ହିଁ ଆକ୍ରନ୍ତଙ୍କୁ ଚିହ୍ନଟ କରିହେବ। ଏହା ସହ ଠିକ୍ ସମୟରେ କରୋନାର ଉପଚାର କରାଯାଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଗୋଟିଏ ଦିନରେ ପ୍ରାୟ ଦଶ ହଜାରରୁ ଅଧିକ ନମୁନା ସଂଗ୍ରହ କରାଯିବ।ଆଜି ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ୩ ଟି ଉଚ୍ଚକୋଟୀର କୋଭିଡ ପରୀକ୍ଷାଗାର ଉଦଘାଟନ କରି କହିଛନ୍ତି,ଦେଶର କୋଟି କୋଟି ନାଗରିକ କରୋନା ବିରୋଧରେ ବହୁତ ସାହସର ସହ ଲଢ଼ୁଛନ୍ତି। ଏହି ଲ୍ୟାବ କେବଳ କରୋନା ପରୀକ୍ଷଣରେ ସୀମିତ ରହିବନି,ଏଠାରେ ହେପଟାଇଟିସ, ଡେଙ୍ଗୁ ଇତ୍ୟାଦିର ପରୀକ୍ଷଣ ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ।