ବିଜୟ ମହାନ୍ତିଙ୍କ ପରେ ଆରପାରିରେ ଆଉ ଜଣେ ଓଡିଆ କଳାକାର ! ! ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ – ଦୀର୍ଘ ବର୍ଷ ଧରି କ୍ୟାନସରରେ ପୀଡିତ ଥିଲେ : କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ।
- ଢ଼େଙ୍କାନାଳ ଜିଲ୍ଲା, ଭାପୁରସ୍ଥ ଜନ୍ମଭୂମିରେ ହେବ ଶେଷକୃତ୍ୟ।
- ପ୍ରସିଦ୍ଧ ଓଡିଆ ଆଲବମ୍ ‘ତୋର କୃଷ୍ଣ ଚୁଡ଼ା ରଙ୍ଗର ନାଲି ଓଢ଼ଣୀ’, ‘ଏକଡ଼ା ଏକଡ଼ା ରା’ ର ଲୋକପ୍ରିୟ ଅଭିନେତ୍ରୀ ଥିଲେ ଦୀପା ସାହୁ ।
ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୭/୦୭ : ବିଜୟ ମହାନ୍ତିଙ୍କ ପରେ ଆଉ ଜଣେ କଳାକାରଙ୍କ ମୃତ୍ୟୁ ଘଟିଛି। କ୍ୟାନସରରେ ପୀଡିତ ଲୋକପ୍ରିୟ ଓଡିଆ ଆଲବମ ଅଭିନେତ୍ରୀ ଦୀପା ସାହୁଙ୍କ ଆଜି ଅପରାହ୍ନ ୪.୦୨ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନରୁ କ୍ୟାନସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବାବେଳେ ଆଜି ମାତ୍ର ୩୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘ ୬ ବର୍ଷ ଧରି କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ଗତ କିଛି ଦିନ ହେବ ଗୁରୁତର ଅବସ୍ଥାରେ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ନେଇ ଦୀପାଙ୍କ ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି।
କ୍ୟାନସରରେ ପୀଡିତ ଥିବାବେଳେ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବା ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଗତ ୬ ବର୍ଷ ଧରି ଓଭାରି କ୍ୟାନସରରେ କ୍ୟାନ୍ସରରେ ପୀଡ଼ିତ ଥିଲେ। ଏହି କିଛି ଦିନରୁ ତାଙ୍କ ଅବସ୍ଥା ଧୀରେ ଧୀରେ ଅଧିକ ବିଗିଡିବା ସହ ଅତ୍ୟଧିକ ରକ୍ତ ସ୍ରାବ ହେଉଥିଲା ବୋଲି ସୂଚନା ରହିଥିଲା। ଆଜି ଅପରାହ୍ନ ୪.୦୨ ମିନିଟରେ ଭୁବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ହସ୍ପିଟାଲରୁ ଭୁବନେଶ୍ୱର ନୀଳାଦ୍ରୀ ବିହାର ଘରକୁ ତାଙ୍କ ମରଶରୀରକୁ ନିଆଯିବ । କିନ୍ତୁ ତାଙ୍କ ଶେଷକୃତ୍ୟ ଜନ୍ମଭୂମି ଢ଼େଙ୍କାନାଳର ଭାପୁରରେ କରାଯିବ, ଏନେଇ ତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତି ।
ଆଜି ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ ଖବର ପାଇ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିବା ସହ ଟ୍ୱିଟ ଯୋଗେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି ।
ଶତାଧିକ ଓଡ଼ିଆ ଆଲବମରେ ଅଭିନୟ କରି ସେ ଦର୍ଶକଙ୍କ ଦୃଦୟରେ ଘର କରିପାରିଥିଲେ। ଓଡ଼ିଆ ଆଲ୍ବମ୍ ଇଣ୍ଡଷ୍ଟ୍ରିର ବେଶ୍ ପରିଚିତ ଚେହେରା ଥିଲେ ଦୀପା। ସେ ଏକାଧିକ ଆଲ୍ବମ୍ରେ ଅଭିନୟ କରି ଓଡିଆ ଆଲ୍ବମ୍ କୁଇନ୍ ଭାବେ ମଧ୍ୟ ବେଶ୍ ଜଣାଶୁଣା ଥିଲେ। ଏହାସହ ସେ କିଛି ଓଡ଼ିଆ ଫିଲ୍ମ, ଧାରାବାହିକରେ ମଧ୍ୟ ନଜର ଆସିଥିଲେ। ଖାଲି ଏତିକି ନୁହେଁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟର ଦକ୍ଷତା ଦେଖାଇଥିଲେ ଦୀପା । ନାରୀ ଆଖିରେ ନିଆଁ ଦୀପାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା । ତେବେ ଦୀପାଙ୍କ ମୃତ୍ୟୁରେ ଓଡିଆ କଳାକାର ଜଗତକୁ ଆଉ ଏକ ବଡ କ୍ଷତି ହୋଇଛି।