![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜଣେ ବିଜେପି ସାଂସଦ ଅନୀଲ ବଲୁନୀଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ କରିବା ରାଜନୀତିକୁ ସରଗରମ କରିଛି ।
![](https://i0.wp.com/kalingajyoti.com/wp-content/uploads/2020/07/2020_7largeimg_2095665273.jpg?resize=329%2C451&ssl=1)
ତେବେ ରାଜନୈତିକ ଔଚିତ୍ୟତା ଦୃଷ୍ଟିରୁ ଏଥିରେ କିଛି ଅସଙ୍ଗତି ନାହିଁ ବୋଲି ବଲୁନୀ କହିଛନ୍ତି ଓ ସୁଯୋଗ ପାଇଲେ ପ୍ରିୟଙ୍କାଙ୍କୁ ପାହାଡ଼ୀ ଖାଦ୍ୟ ଖୁଆଇବାକୁ ନିମନ୍ତ୍ରଣ କରିବି ବୋଲି କହିଛନ୍ତି । ବଲୁନୀ ଲେଖିଛନ୍ତି ଆପଣଙ୍କ ଚିଠି ପାଇଛି । ଆପଣ ବୋଧହୁଏ ଜାଣି ନାହାନ୍ତି ମୁଁ କର୍କଟ ରୋଗରେ ପୀଡ଼ିତ ହୋଇଥିଲି ଓ ଚିକିତ୍ସିତ ହୋଇ ଫେରିଛି । ବର୍ତମାନ ସ୍ଥିତିରେ ମୋତେ ଆଉ କିଛି ସମୟ ଘରେ ଆଇସୋଲେସନରେ ରହିବାକୁ ଚାହୁଁଛି । ଆପଣ ମୋତେ ଚା’ ନିମନ୍ତେ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ । ମୁଁ ଲୋଧୀ ଇଷ୍ଟେଟର ୩୫ ନମ୍ବର ଘରକୁ ଯିବା ପରେ ଆପଣଙ୍କୁ ସପରିବାର ପାହାଡ଼ୀ ଖାଦ୍ୟ ଖୁଆଇବାକୁ ନିମନ୍ତ୍ରଣ କରିବି । ଆପଣ ଚା’ ପିଇବାକୁ ମୋତେ ନିମନ୍ତ୍ରଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
![](https://kalingajyoti.com/wp-content/uploads/2020/07/PTI7_16_2018_000120B1-compressed-1593966771-1024x738.jpg)
![](https://i0.wp.com/www.samajalive.in/wp-content/uploads/2020/07/111-2.jpg?w=1170&ssl=1)
ବାସ୍ତବରେ କଥାଟି ହେଉଛି ଏମିତି - ଲୋଧୀ ଇଷ୍ଟେଟର ୩୫ ନମ୍ବର ବଙ୍ଗଳାରେ ପ୍ରିୟଙ୍କା ଗତ ୨୦ ବର୍ଷ ଧରି ରହି ଆସୁଥିଲେ । ମାତ୍ର ତାଙ୍କୁ ଏବେ ଘର ଖାଲି କରିବାକୁ କୁହାଯାଇଛି ଏବଂ ବଙ୍ଗଳାଟିକୁ ବିଜେପି ସାଂସଦ ଅନୀଲ ବଲୁନୀଙ୍କୁ ଆବଣ୍ଟିତ କରାଯାଇଛି । ବଙ୍ଗଳା ଖାଲି କରିବା ପୂର୍ବରୁ ଅନୀଲ ବଲୁନୀଙ୍କ ପରିବାରକୁ ଚା’ ପିଇବାକୁ ନିମନ୍ତ୍ରଣ କରିଥିଲେ ପ୍ରିୟଙ୍କା । କହିଥିଲେ ଗତ ୨୦ ବର୍ଷଧରି ସେ ଏହି ଘରେ ରହି ଆସୁଥିଲେ ମଧ୍ୟ କିପରି ଘରର ଯତ୍ନ ନେଇଛନ୍ତି ଓ ଭଲ ଅବସ୍ଥାରେ ରଖିଛନ୍ତି ତାହା ଅନୀଲଙ୍କୁ ଦେଖାଇବାକୁ ଚାହୁଁଥିଲେ ।
![](https://kalingajyoti.com/wp-content/uploads/2020/07/download-18-1.jpg)
ସୂଚନା ଅନୁସାରେ ପ୍ରିୟଙ୍କା ଏହି ଘର ଚଳିତ ମାସରେ ଖାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସେ ଘର ଖାଲି କରିବା ଓ ବଲୁନୀଙ୍କ ଘରକୁ ଆସିବା ମଧ୍ୟରେ ଯଦି କିଛି ଭଙ୍ଗାରୁଜା ହୁଏ ସେଥିପାଇଁ ହୁଏତ ତାଙ୍କୁ ଦାୟୀ କରାଯିବାର ଆଶଙ୍କା ରହିଛି । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଆବାସ ଛାଡ଼ିବା ପରେ ଯେଉଁପରି ଅଭିଯୋଗ ଆସିଥିଲା ସେପରି ଅଭିଯୋଗ ଆସୁ ବୋଲି ପ୍ରିୟଙ୍କା ଚାହୁଁ ନାହାନ୍ତି । ତେଣୁ ଚଳିତ ମାସରେ ଘର ଖାଲି କରିବା ପୂର୍ବରୁ ଘରକୁ ସଫାସୁତୁରା କରିବା ସହ ରଙ୍ଗ ଲଗାଇବା କାମ କରୁଛନ୍ତି । ଯାହା ଫଳରେ ସେ ଘରକୁ ନେଇ ଯେମିତି ତାଙ୍କୁ ନିନ୍ଦିତ ହେବାକୁ ନ ପଡ଼େ ।
୧୦ ଜନପଥକୁ ପ୍ରିୟଙ୍କାଙ୍କ ଘର ସାମଗ୍ରୀ ସ୍ଥାନାନ୍ତରିତ
ପ୍ରିୟଙ୍କା ଘର ଛାଡ଼ି ଗୁରୁଗ୍ରାମକୁ ଯିବା ଆପାତତଃ ସ୍ଥିର ହୋଇଛି । ମାତ୍ର ସେଠାରେ ବିଶେଷ ସାମଗ୍ରୀର ଆବଶ୍ୟକତା ନାହିଁ । ଅନ୍ୟପକ୍ଷରେ ପ୍ରିୟଙ୍କା ଦିଲ୍ଲୀରେ ମଧ୍ୟ ଆଉ ଏକ ଘର ଭଡ଼ା ନେଇଛନ୍ତି ଯାହାର ଏଗ୍ରିମେଣ୍ଟ ୩ ଦିନ ତଳେ ଶେଷ ହୋଇଛି । ଏହାର ସାମାନ୍ୟ ମରାମତି ନିମନ୍ତେ ୧୫ ଦିନ ଲାଗିବ ଓ ଏହାପରେ ସେ ସେଠାକୁ ଚାଲିଯିବେ । ତେଣୁ ଲୋଧୀ ଇଷ୍ଟେଟରେ ଥିବା ପ୍ରିୟଙ୍କାଙ୍କ ସବୁ ଆସବାବପତ୍ର ୧୦ ଜନପଥରେ ଥିବା ସୋନିଆଙ୍କ ବାସଭବନକୁ ସ୍ଥାନାନ୍ତରିତ କରାଯାଇଛି । ଦିଲ୍ଲୀରେ ଭଡ଼ା ନିଆଯାଇଥିବା ନୂଆ ଘରର କାମ ଶେଷ ହେବା ପରେ ଏହି ସାମଗ୍ରୀ ସେଠାକୁ ସ୍ଥାନାନ୍ତର ହେବ ବୋଲି ସୂଚନା ମିିଳିଛି ।