କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ: ତେଲ, ସାବୁନ ସହ ଦୈନିକ ବ୍ୟବହାର ଉପଯୋଗୀ ସାମଗ୍ରୀ ନିର୍ମାଣ କରୁଥିବା ହିନ୍ଦୁସ୍ତାନ ୟୁନିଲିଭର ଏହାର ଲୋକପ୍ରିୟ କ୍ରିମ ‘ଫେୟାର ଆଣ୍ଡ ଲଭଲି’ର ନାମ ପରିବର୍ତ୍ତନ କରିବାର ସୂଚନା ଦେଇଥିଲା | ନାମ ପରିବର୍ତ୍ତନ ପରେ ଏହାର ନାମ ‘ଗ୍ଲୋ ଆଣ୍ଡ ଲଭଲି’ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି | କାରଣ ‘ଗ୍ଲୋ ଆଣ୍ଡ ଲଭଲି’ ନାମକୁ ନେଇ କମ୍ପାନୀ ପକ୍ଷରୁ ଟ୍ରେଡ୍ ମାର୍କ ପଞ୍ଜିକରଣ ପାଇଁ ଆବେଦନ କରାଯାଇଛି ।
ଯଦିଓ ‘ଗ୍ଲୋ ଆଣ୍ଡ ଲଭଲି’ ନାମକୁ ନେଇ କୌଣସି ଅଧିକାରୀଙ୍କ ସୂଚନା ଦିଆଯାଇନାହିଁ, ତଥାପି ୧୭ ଜୁନ୍ ୨୦୨୦ ରେ ‘ଗ୍ଲୋ ଆଣ୍ଡ ଲଭଲି’ ନାମକୁ ‘କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ପେଟେଣ୍ଟ୍ ଡିଜାଇନ୍ ଏବଂ ଟ୍ରେଡ୍ ମାର୍କ’ରେ ପରିବର୍ତ୍ତନ କରିବାକୁ ଆବେଦନ କରିଛି । ଏହି ପରିପ୍ରେକ୍ଷୀରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ ପକ୍ଷରୁ କୁହାଯାଇଛି ଯେ କୌଣସି ବ୍ରାଣ୍ଡ ପାଇଁ ଟ୍ରେଡ୍ ମାର୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଏବଂ ଏହି କ୍ଷେତ୍ରରେ କମ୍ପାନୀ ୨୦୧୮ ରେ ଅନେକ ଟ୍ରେଡ୍ ମାର୍କ ପାଇଁ ଆବେଦନ କରିଛି।
ଟୁଇଟ୍ କରି ହିନ୍ଦୁସ୍ତାନ ୟୁନିଲିଭର୍ ଗତକାଲି କହିଥିଲା ଯେ : ସୌନ୍ଦର୍ଯ୍ୟର ବିବିଧତା ଅଭିବାଦନ ଜଣାଇ ସବୁ ବର୍ଣ୍ଣର ତ୍ବଚାର ଯତ୍ନ ନିମନ୍ତେ ଆମେ ପ୍ରତିବଦ୍ଧ। ସେହି କାରଣରୁ ଆମେ ଉତ୍ପାଦରୁ ‘ଫେୟାର୍ନେସ୍’, ‘ହ୍ବାଇଟେନିଙ୍ଗ୍’ ଓ ‘ଲାଇଟେନିଙ୍ଗ୍’ ଆଦି ଶବ୍ଦ ଉଠାଇ ଦିଆଯାଇ ‘ଫେୟାର୍ ଆଣ୍ଡ୍ ଲଭ୍ଲି’ର ବ୍ରାଣ୍ଡ୍ ନେମ୍ ପରିବର୍ତ୍ତନ କରାଯିବ।