ମୁମ୍ବାଇ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : କରୋନାରେ ଜୀବନ ହାରିଲେ ମୁମ୍ବାଇର ପ୍ରସିଦ୍ଧ ‘ବିସ୍ଲାରି ପାଣିପୁରି’ ବିକ୍ରେତା । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତ ପ୍ରାଣ ହରାଇବା ପରେ ସ୍ଥାନୀୟ ଲୋକ ଟଙ୍କା ଆଦାୟ କରି ତାଙ୍କ ପରିବାର ଲୋକଙ୍କୁ ୨.୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।
ଭାଗବତୀ ଯାଦବ ନାମକ ଏହି ଗୁପ୍ଚୁପ୍ ବିକାଳି ନିଆରା ଢଙ୍ଗରେ ବେପାର କରି ସମସ୍ତଙ୍କ ମନ ମୋହି ପାରିଥିଲେ। ନାପିୟନ୍ ସି ରୋଡ୍ରେ ନିକଟରେ ଥିବା ରୁଙ୍ଗ୍ତା ଲେନ୍ରେ ଗୁପ୍ଚୁପ୍ ବେପାର କରୁଥିବା ଯାଦବ ପ୍ରାୟ ୪୬ ବର୍ଷ ହେବ ତାଙ୍କ ଘର ମାତା ପାର୍ବତୀ ନଗରରୁ ଗୁପ୍ଚୁପ୍ ଠେଲା ଧରି ବିକ୍ରି ପାଇଁ ଆସିଥାନ୍ତି। ଯାଦବ ତାଙ୍କ ଗୁପ୍ଚୁପ୍ରେ କଳ ପାଣି ବ୍ୟବହାର ନ କରି ମିନେରାଲ୍ ପାଣି ବିକ୍ରି କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପାଲଟିଥିଲେ। ଏହି କାରଣରୁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ବିସ୍ଲାରି ପାଣିପୁରି ବାଲା ବୋଲି ଲୋକେ ଡାକନ୍ତି।ଯାଦବଙ୍କର କୋଭିଡ୍-୧୯ ସଂକ୍ରମଣରେ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଯାଦବଙ୍କ ମଧୁମେହ ଥିଲା। ମେ ତୃତୀୟ ସପ୍ତାହରେ ତାଙ୍କ ଭିତରେ କୋଭିଡ-୧୯ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିଛି ଦିନ ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ www.ketto.org ୱେବ୍ସାଇଟ୍ ଜରିଆରେ ଟଙ୍କା ଯୋଗାଡ଼ କରି ଯାଦବଙ୍କ ପରିବାରକୁ ଦାନ କରିଛନ୍ତି।