ଆଜିଠୁ ବଡ଼ ପରିବର୍ତ୍ତନ:ଅନଲାଇନ ସପିଂ କଲେ ଯେ କୌଣସି ଉତ୍ପାଦ ବିଷୟରେ ବିଶେଷ ସୂଚନା; ଶସ୍ତା ହେବ କାର୍, ବାଇକ୍; ୫ ଥରରୁ ଅଧିକ ଟଙ୍କା ଉଠାଣରେ ଲାଗିବ ଚାର୍ଜ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮:ଆଜି ଅଗଷ୍ଟ ୧ ତାରିଖ। ଆଜିଠାରୁ ଦେଶରେ ହେବାକୁ ଯାଉଛି ଅନେକ ପରିବର୍ତ୍ତନ। ଯଦି ଆପଣ ଡିଜିଟାଲ କାରବାର କରୁଥାନ୍ତି, ତେବେ ଏହି ପରିବର୍ତ୍ତନ ବିଷୟରେ ଆପଣ ନିହାତି ଜାଣି ରଖିବା ଦରକାର।
ଆଜିଠାରୁ ଅନଲାଇନ ସପିଂ କଲେ ଆପଣ ଯେକୌଣସି ଉତ୍ପାଦ ବିଷୟରେ ବିଶେଷ ସୂଚନା ପାଇବେପାରିବେ। ଆଉ ଯଦି ଆପଣ ନୂଆ କାର କିମ୍ବା ବାଇକ କିଣିବାକୁ ଯାଉଛନ୍ତି ତେବେ ଆପଣ ଫାଇଦାରେ ରହିବେ। ଏଥିସହିତ ଦେଶର ଚାଷୀଙ୍କ ପାଇଁ ଖୁସି ଖବର ବି ରହିଛି। ତେବେ ଆଜିଠାରୁ ମୁଖ୍ୟତଃ ୫ଟି ପରିବର୍ତ୍ତନ ହେବାକୁ ଯାଉଛି। ଯାହାକି ସାଧାରଣ ଜୀବନ ଯାତ୍ରା ଉପରେ ବେଶ ପ୍ରଭାବ ପକାଇବ।
ଏବେ ଆସନ୍ତୁ ଜାଣିବା ଆଜିଠାରୁ କେଉଁ ସବୁ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି।
୧. ଆଜିଠୁ ଅନେକ ବ୍ୟାଙ୍କରେ ସର୍ବନିମ୍ନ ବାଲାନ୍ସ ନିୟମକୁ ପରିବର୍ତ୍ତନ କରାଯାଇଛି। କେତେକ ବ୍ୟାଙ୍କ ଜମା ଖାତାରେ ସର୍ବନିମ୍ନ ବାଲାନ୍ସ ନ ରହିଲେ ଫାଇନ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତିନୋଟି ମାଗଣା କାରବାର ପରେ ଗ୍ରାହକଙ୍କ ଉପରେ ଚାର୍ଜ ଲାଗିବ। ଏଥି ସହିତ କେତେକ ବ୍ୟାଙ୍କ ସର୍ବନିମ୍ନ ବାଲାନ୍ସ ସୀମା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।
ଯଦି ଆପଣଙ୍କ ଆକାଉଣ୍ଟରେ ସର୍ବନିମ୍ନ ଜମା ଅପେକ୍ଷା କମ ପରିମାଣର ଟଙ୍କା ରହେ, ତେବେ ଆପଣଙ୍କଠୁ ବ୍ୟାଙ୍କ ଜରିମାନା ଆଦାୟ କରିବ।
୨. ଦ୍ୱିତୀୟଟି ଆଜିଠାରୁ ଏଟିଏମରୁ ଟଙ୍କା ଉଠାଇବା ଉପରେ ଚାର୍ଜ ଲାଗିବ। ଯଦି ଆପଣ ଗୋଟିଏ ମାସରେ ଏଟିଏମରୁ ୫ରୁ ଅଧିକ ଥର ଟଙ୍କା ଉଠାନ୍ତି, ତେବେ ୫ ଥର ଉଠାଣ ପରେ ଆଣପଙ୍କୁ ଚାର୍ଜ ଦେବାକୁ ପଡ଼ିବ। ଆପଣ ଗୋଟିଏ ମାସରେ ଏଟିଏମରୁ ୫ ଥର ବିନା ଚାର୍ଜରେ ଉଠାଇ ପାରିବେ।
ଅନ୍ୟପକ୍ଷରେ ଯଦି ଡେବିଟ କାର୍ଡ ହଜିଯାଏ କିମ୍ବା ନଷ୍ଟ ହୋଇଯାଏ, ତେବେ ନୂତନ କାର୍ଡ ପାଇଁ ୨୦୦ ଟଙ୍କା ଦେବାକୁ ପଡ଼ିବ। ଟାଇଟେନିୟମ ଡେବିଟ କାର୍ଡ ପାଇଁ ଆପଣଙ୍କୁ ବାର୍ଷିକ ୨୫୦ ଟଙ୍କା ଦେବାକୁ ପଡିବ। ଏହା ସହ ଆରବିଆଇ ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ସଞ୍ଚୟ ଆକାଉଣ୍ଟର ସୁଧ ହାର ବି ବଦଳିବାକୁ ଯାଉଛି।
୩. ଆଜିଠାରୁ ଶସ୍ତା ହେଉଛି କାର-ବାଇକ। ଅଗଷ୍ଟ ୧ ବା ଆଜି ଦିନରୁ ଭେଇକିଲ ଇନସୁରାନ୍ସ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଅଟୋ ଇନସୁରାନ୍ସ ନିୟମରେ ପରିବର୍ତ୍ତନ ଯୋଗୁ ନୂଆ କାର କିମ୍ବା ବାଇକ ମୂଲ୍ୟ କମିବ।
ଇନସୁରାନ୍ସ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ ଏହାର ଦୀର୍ଘକାଳୀନ ପ୍ୟାକେଜ ଥାର୍ଡ ପାର୍ଟି ଏବଂ ଓଉନ ଡ୍ୟାମେଜ ନିୟମକୁ ପ୍ରତ୍ୟାହାର କରି ନେଇଛନ୍ତି। ଏହା ସହିତ ବର୍ତ୍ତମାନ ଯାନଗୁଡିକ ୩ ଏବଂ ୫ ବର୍ଷର ଥାର୍ଡ ପାର୍ଟି ଇନସୁରାନ୍ସ ପଲିସି ନେବା ଆବଶ୍ୟକ ହେବ ନାହିଁ।
୪.ଚତୁର୍ଥରେ ଇ-କମର୍ସ କମ୍ପାନୀଗୁଡ଼ିକ ପାଇଁ ଆଜିଠାରୁ ନୂଆ ନିୟମ ହୋଇଛି। ମେକ ଇନ ଇଣ୍ଡିଆ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଆଜି ତାରିଖରୁ ସମସ୍ତ ଇ-କମର୍ସ କମ୍ପାନୀଗୁଡ଼ିକ ନିଜ ୱେବସାଇଟରେ ଉତ୍ପାଦ ସହିତ ଉତ୍ପତ୍ତି ଓ ଦେଶର ସୂଚନା ପ୍ରଦାନ କରିବାକୁ ବାଧ୍ୟ ହେବେ। କେଉଁ ଦେଶରେ ଜିନିଷ ତିଆରି ହେଉଛି ସେସବୁ ତଥ୍ୟ କମ୍ପାନୀଗୁଡିକୁ କହିବାକୁ ହେବ। ତେବେ ଅଧିକାଂଶ କମ୍ପାନୀ ଏହି ସୂଚନା ଦେବା ଆରମ୍ଭ କରି ଦେଇଛନ୍ତି।
୫. କୃଷକମାନଙ୍କ ପାଇଁ ବି ଖୁସି ଖବର ରହିଛି। କିସାନ ସମ୍ମାନ ନିଧି ଯୋଜନାର ଷଷ୍ଠ କିସ୍ତି ଆଜିଠାରୁ ଆସିବା ଆରମ୍ଭ ହେବ। ଅଗଷ୍ଟ ୧ ତାରିଖରୁ ସରକାର ୨୦୦୦ ଟଙ୍କାର ୬ଷ୍ଠ କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବେ। ପିଏମ୍ କିସାନ ସମ୍ମାନ ନିଧିର ୫ମ କିସ୍ତି ୧ ଏପ୍ରିଲ ୨୦୨୦ରେ ଚାଷୀମାନଙ୍କୁ ପ୍ରଦାନ କରାଯାଇଥିଲା