ଜଗନ୍ନାଥପ୍ରେମୀ ଭକ୍ତଙ୍କ ଭାବାବଗେକୁ ଆଘାତ : ଚେୟାର ରେ ବସି ଅଭଡ଼ା ଖାଇଲେ ପୋଲିସ ବାବୁ, ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ
ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୭/୦୬ : ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଖରେ ଅର୍ପିତ ହେଉଥିବା ପ୍ରସାଦକୁ ଶ୍ରୀମହାପ୍ରସାଦ ବୋଲି କୁହାଯାଏ। ଷଡ଼ଙ୍ଗ ସଂସ୍କାର ମାଧ୍ୟମରେ ମହାପ୍ରସାଦ ଠାକୁରଙ୍କୁ ଅର୍ପଣ କରାଯାଏ। ଶ୍ରୀମନ୍ଦିରରେ ଯେଉଁ ମହାପ୍ରସାଦ ପ୍ରସ୍ତୁତ କରାଯାଏ ଶାସ୍ତ୍ରାନୁସାରେ ତାହାକୁ ମହାଲକ୍ଷ୍ମୀ ନିଜେ ପ୍ରସ୍ତୁତ କରିଥାନ୍ତି । ଏହି ମହାପ୍ରସାଦ କଣିକାଏ ପାଇଲେ ଜୀବ ମୁକ୍ତି ଲାଭ କରେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ସେଥିପାଇଁ ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବା ପରେ ଭକ୍ତମାନେ ଏହାକୁ ପାଇବା ଲାଗି ଚାହିଁ ରହିଥାନ୍ତି। ମହାପ୍ରସାଦ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତିଭାବ ରହିଛି।ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ରହିଛି ଗଭୀର ଭକ୍ତି ଏବଂ ବିଶ୍ୱାସ। ହେଲେ ମହାପ୍ରସାଦ ସେବନର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଭକ୍ତଙ୍କ ଭାବାବଗେକୁ ଆଘାତ ଦେଇଛି।
ଶୁକ୍ରବାର କିଛି ପୋଲିସ ଅଧିକାରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଏକ ଗଛ ତଳେ ପିଣ୍ଡିରେ ଅବଢା ରଖି ଚେୟାରରେ ବସି ସେବନ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତଳେ ବସି କଦଳୀ ପତ୍ରରେ ମହାପ୍ରସାଦ ଖାଇବା ପରମ୍ପରା ରହିଥିବାବେଳେ ମହାପ୍ରସାଦକୁ ଅନ୍ନବ୍ରହ୍ମ ବୋଲି କୁହାଯାଇଥାଏ। କୁହାଯାଇଛି ଭଗବାନଙ୍କୁ ନିନ୍ଦିଲେ ଚଳିବ, କିନ୍ତୁ ତାଙ୍କ କୈବଲ୍ୟକୁ ନିନ୍ଦା କରିବା ଉଚିତ ନୁହେଁ । ଏହିଭଳି ବିଶ୍ୱାସ ଏବଂ ପରମ୍ପରା ସହ ସାମିଲ ମହାପ୍ରସାଦ ପ୍ରତି ଏଭଳି ଅସମ୍ମାନ ଭକ୍ତସମାଜକୁ ଗଭୀର ଆଘାତ ପହଞ୍ଚାଇଛି । ପୋଲିସ ବାବୁଙ୍କ ଏଭଳି କାର୍ଯ୍ୟକୁ ବୋଲି ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।