

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬: କଂଗ୍ରେସର ରାଜୀବ ଗାନ୍ଧି ଫାଉଣ୍ଡେସନ ଚୀନ୍ ଦୂତାବାସ ଜରିଆରେ ଧନ ସଂଗ୍ରହ କରିଥିବାର ବିଜେପି ଅଭିଯୋଗ କରିବା ପରେ ନୂଆନୂଆ ଘଟଣା ଏବେ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ସୋନିଆ ଗାନ୍ଧିଙ୍କ ପରିଚାଳିତ ଏହି ଫାଉଣ୍ଡେସନକୁ ପିଏନବି ଋଣ ଠକେଇ ମାମଲାରେ ଫେରାର ଅଭିଯୁକ୍ତ ମେହୁଲ ଚୌକସୀ ମଧ୍ୟ ଅଘୋଷିତ ଦାନ କରିଥିବା ଏବେ ଜଣାପଡିଛି।ମେହୁଲ ଚୌକସୀ ୨୦୧୪-୧୫ ମସିହାରେ ଏହି ଆର୍ଥିକ ଦାନ କରିଥିବା ବେଳେ ନବରାଜ ଇଷ୍ଟେଟସ୍ ପ୍ରାଇଭେଟ ଲିମିଟେଡ ନାମରେ ଏହା ଦିଆଯାଇଛି। କମ୍ପାନୀର ନିର୍ଦ୍ଦେଶକଙ୍କ ମଧ୍ୟରେ ମେହୁଲ ଚୌକସୀ ଅନ୍ୟତମ ଥିଲେ। ପିଏନବି ଆର୍ଥିକ ଅନିୟମିତତାରେ ନିରବ ମୋଦି ଓ ମେହୁଲ ଚୌକସୀ ୧୩ ହଜାର କୋଟି ଟଙ୍କା ଠକି ଫେରାର ହୋଇଯାଇଛନ୍ତି। ତେବେ ଚୌକସୀ ୨୦୧୪ ମସିହାରେ ଫାଉଣ୍ଡେସନକୁ ଅଘୋଷିତ ଅନୁଦାନ ଦେଇଥିବା ବେଳେ ୨୦୧୮ ମସିହାରେ ସେମାନଙ୍କ ବ୍ୟାଙ୍କ ଠକେଇ ଘଟଣା ସାମ୍ନାକୁ ଆସିଥିଲାସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ଚୀନ୍ ସରକାରଙ୍କ ପ୍ୟୁପିଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ସ୍ଥାପିତ ଆସୋସିଏସନ ଫର ଇଣ୍ଟରନ୍ୟାସନାଲ ଫ୍ରେଣ୍ଡଲି କଣ୍ଟାକ୍ଟ (ସିଏଆଇଏଫସି) ମଧ୍ୟ ସୋନିଆଙ୍କ ଏହି ଫାଉଣ୍ଡେସନକୁ ଆର୍ଥିକ ସହୟତା ଦେଉଥିବାର ଏବେ ପ୍ରମାଣ ମିଳିଲାଣି। ଗୁଇନ୍ଦା ଗତିବିଧି ଲାଗି ସିଏଆଇଏଫସି ଆମେରିକାର ଏଫବିଆଇ ରାଡାରରେ ଥିବା ବେଳେ ତାର ଦାନ ପୂଣ୍ୟ ଏବେ ଅନ୍ତର୍ଜାତୀୟ ଚର୍ଚ୍ଚାର ବିଷୟ ପାଲଟିଛି।ରାଜୀବ ଗାନ୍ଧି ଫାଉଣ୍ଡେସନରେ ସୋନିଆ ଗାନ୍ଧି ଅଧ୍ୟକ୍ଷା ଥିବା ବେଳେ ରାହୁଲ ଗାନ୍ଧି, ପ୍ରିୟଙ୍କା ୱାଡ୍ରା, ମନମୋହନ ସିଂହ , ପି.ଚିଦାମ୍ବରମ ଆଦି ପିରଚାଳନା ବୋର୍ଡର ସଦସ୍ୟ ଅଛନ୍ତି। ଗାନ୍ଧି ପରିବାରଙ୍କ ମାଲିକାନାଧୀନ ଏହି ଫାଉଣ୍ଡେସନକୁ ଚୀନ୍ କମ୍ୟୁନିଷ୍ଟ ସରକାରଙ୍କ ଠାରୁ ଆରମ୍ଭ କରି ଭାରତର ପିଏମଏନଆରଏଫ ଅନୁଦାନ ଦେଇଥିବାର ପ୍ରମାଣ ମଧ୍ୟ ରହିଛି। ଅତୀତରେ ମନମୋହନ ସିଂହ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ବେଳେ ଦେଶର ସରକାରୀ ବଜେଟ୍ରେ ଏହି ଘରୋଇ ଫାଉଣ୍ଡେସନ ଲାଗି ପୃଥକ ଅର୍ଥ ବ୍ୟବସ୍ଥା ଲାଗି ମଧ୍ୟ ଦାବି କରିଥିବାର ନଜିର ରହିଛି।