ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ : ପତଞ୍ଜଳି ‘କୋରୋନିଲ୍’ ଟ୍ରେଡ୍ ମାର୍କକୁ ବ୍ୟବହାର କରିପାରିବନି ଓ ତା ସହିତ ୧୦ ଲକ୍ଷ ଟଙ୍କା ଫାଇନ୍ ଦେବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଚେନ୍ନାଇ ୦୭/୦୮: କରୋନିଲ ଟ୍ରେଡ୍ ମାର୍କକୁ ବ୍ୟବହାର କରିପାରିବନି ପତଞ୍ଜଳି। ଏନେଇ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ଏବଂ ଦିବ୍ୟା ୟୋଗ ମନ୍ଦିର ଟ୍ରଷ୍ଟକୁ ବାରଣ କରିଛନ୍ତି ମାଡ୍ରାସ ହାଇକୋର୍ଟ। ତା ସହିତ ୧୦ ଲକ୍ଷ ଟଙ୍କା ଫାଇନ୍ ମଧ୍ୟ କରିଛନ୍ତି କୋର୍ଟ। ଅଗଷ୍ଟ ୨୧ ତାରିଖ ସୁଦ୍ଧା ଫାଇନ୍ ପୈଠ କରିବାକୁ କୁହାଯାଇଛି।
ଲାଭ ପଛରେ ଗୋଡ଼ାଇ କରୋନିଲ ଔଷଧରେ କରୋନା ସୁସ୍ଥ ହୋଇଯିବ କହି ଲୋକଙ୍କୁ ଭୂଆଁ ବୁଲାଇବା ଅଭିଯୋଗରେ କମ୍ପାନୀଙ୍କୁ ଫାଇନ୍ କରିଛନ୍ତି କୋର୍ଟ। କିନ୍ତୁ କରୋନିଲ୍ କରୋନାରୁ ସୁସ୍ଥ କରିବନି ବରଂ ଛିଙ୍କ, କାଶ ଓ ଥଣ୍ଡା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ।
ଚେନ୍ନାଇସ୍ଥିତ ଅରୁଦ୍ର ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆବେଦନ କରାଯାଇଥିବା ଏକ ମାମଲାର ଶୁଣାଣି କରି ଜଷ୍ଟିସ୍ ସିଭି କାର୍ତିକେୟନ ଏହି ରାୟ ଦେଇଛନ୍ତି। ୧୯୯୩ଠୁ ‘କରୋନିଲ’ ଅରୁଦ୍ର ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡ୍ର ଟ୍ରେଡ୍ମାର୍କ ବୋଲି ଦାବି କରି କମ୍ପାନୀ କୋର୍ଟର ଦ୍ୱାରସ୍ଥ ହୋଇଥିଲା।
ଅରୁଦ୍ର କମ୍ପାନୀ ପକ୍ଷରୁ CORONIL-92 B ନାମର ଏକ ଏସିଡ୍ ମାର୍କେଟ୍କୁ ଛଡ଼ାଯାଇଥିଲା। ଏହି ଏସିଡ୍ଟି ଶିଳ୍ପ ବ୍ୟବହାର ପାଇଁ ଭାରୀ ଯନ୍ତ୍ର ଏବଂ ରାସାୟନିକ ପ୍ରସ୍ତୁତି ସଫା କରିବା ପାଇଁ ଉଦ୍ଦିଷ୍ଟ ବୋଲି କମ୍ପାନୀ ତଥ୍ୟ ଦେଇଥିଲା। ମାଦ୍ରାସ ହାଇକୋର୍ଟ ଆଜି ଏହି ମାମଲାରେ ଶୁଣାଣି କରି ପତଞ୍ଜଳିକୁ ଫାଇନ୍ କରିବା ସହିତ ‘କୋରୋନିଲ୍’ ନା ବ୍ୟବହାର ନ କରିବାକୁ ବାରଣ କରାଯାଇଛି