କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ,୨ ଜଣ ପାଇଲଟ୍‌ଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ

0 392
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ / ତିରୁଅନନ୍ତପୁରମ୦୮/୦୮: କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ରନେଓ୍ଵରେ ଦୁଇଖଣ୍ଡ ହୋଇଯିବା ପରେ ହେଲପ୍‌ଲାଇନ୍‌ ନମ୍ବର ଜାରି ହୋଇଛି। ସିଆଇଏସ୍‌ଏଫ୍‌ର ମହାନିର୍ଦ୍ଦେଶକ ରାଜେଶ ରଂଜନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ରଂଜନ କହିଛନ୍ତି, ଦୁର୍ଘଟଣା ପରେ ହେଲ୍‌ପଲାଇନ୍‌ ନମ୍ବର (୦୫୬୫୪୬୩୯୦୩, ୦୫୪୩୦୯୦୫୭୨, ୦୫୪୩୦୯୦୫୭୨, ୦୫୪୩୯୦୫୭୫) ଜାରି ହୋଇଛି। ସେ କହିଛନ୍ତି, ଆମର ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଆମର ଟିମ୍‌ ବିମାନ ଯାତ୍ରୀଙ୍କୁ ବାହାର କରିବାରେ ଲାଗିପଡ଼ିଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆରଏଫ୍‌ର ଏକ ଟିମ କୋଝିକୋଡ ଅଭିମୁଖେ ବାହାରିଛନ୍ତି। ଏନ୍‌ଡିଆରଏଫ୍‌ର ଏହି ଟିମ୍‌ରେ ୫୦ ଜଣ ସଦସ୍ୟ ଅଛନ୍ତି।ଏୟାର ଇଣ୍ଡିଆର ବିମାନ ରନୱେରେ ଦୁଇଖଣ୍ଡ ହୋଇଯିବା ପରେ ରିପୋର୍ଟ ଲେଖାଯିବା ବେଳକୁ ୨ ଜଣ ପାଇଲଟ୍‌ଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ୧୨୭ ଜଣ ଆହତ ହୋଇଥିବା ବେଳେ ଏଥିରୁ ୧୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି। ସମସ୍ତ ଆହତ ଓ ଗୁରୁତରମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମଲାପୁରମ୍‌ ଏସ୍‌ପି ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଏହି ସୂଚନା ଦେଇଛନ୍ତି।

ଡିଜିସିଏ ଅନୁସାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ AXB1344, ବୋଇଂ ୭୩୭ ଦୁବାଇରୁ କାଲିକଟ ଆସୁଥିଲା। ବିମାନରେ ୧୯୧ ଜଣ ଯାତ୍ରୀ ଥିଲେ। ପ୍ରବଳ ବର୍ଷା ଯୋଗୁଁ ବିମାନଟି ରନୱେରେ ଅବତରଣ କରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୧୯୧ ଜଣ ଯାତ୍ରୀ ଥିଲେ। ଏଥିରେ ୧୦ ଜଣ ଶିଶୁ ମଧ୍ୟ ସାମିଲ ଥିଲେ।

ସୂଚନାଯୋଗ୍ୟ, ୧୯୧ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିବା ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଶୁକ୍ରବାର ସନ୍ଧ୍ୟା ୭ଟାରେ କେରଳର କୋଝିକୋଡ଼ ଠାରେ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍‌ କରିବାରୁ ପାଇଲଟ୍‌ଙ୍କର ମୃତ୍ୟୁ ଘଟିବା ସହ ଯାତ୍ରୀମାନେ ଆହତ ହୋଇଛନ୍ତି। ବିମାନ ଲ୍ୟାଣ୍ଡିଙ୍ଗ୍‌ କରିବା ସମୟରେ ପ୍ରବଳ ବୃଷ୍ଟିପାତ ମଧ୍ୟରେ କାରିପୁର ବିମାନ ବନ୍ଦରରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟିର ସମ୍ମୁଖ ଭାଗ ଦୁଇ ଖଣ୍ଡ ହୋଇଯାଇଛି।

ବିମାନ ରନୱେରେ ଖସି ଯାଇଥିବା ଖବର ସୁନିଶ୍ଚିତ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ କେଜେ ଆଲ୍‌ଫୋନ୍‌ସ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି, କେରଳରେ ଦ୍ଵିତୀୟ ଦୁଃଖଦ ଘଟଣା: କୋଝିକୋଡ଼ରେ ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ରନୱରୁ ଖସି ଯାଇ, ସମ୍ମୁଖ ଭାଗ ଦୁଇଗଡ଼ ହୋଇଯାଇଛି। ପାଇଲଟ୍‌ ମରିଛନ୍ତି ଓ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛିଯ ଯୋଗକୁ ବିମାନରେ ନିଆଁ ଲାଗିନାହିଁ।

ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, ବିମାନଟି କାରିପୁର ବିମାନବନ୍ଦରର ରନୱେରେ ଅବତରଣ କରିବା ପରେ fuselage (ବିମାନର ବଡ଼ି)ଟି ଭାଙ୍ଗି ଯାଇଥିଲା। ଆହତ କିମ୍ବା ମୃତାହତଙ୍କ ବାବଦରେ ସୂଚନା ମିଳିନାହିଁ। ବିମାନରେ ନିଆଁ ଲାଗି ନ ଥିବା ଜଣାପଡ଼ିଛି। ଏହି ବିମାନଟି “ବନ୍ଦେ ଭାରତ” ମିଶନର ଏକ ଅଂଶ ଥିଲା ଯାହା ବିଦେଶରେ ଥିବା ଭାରତୀୟଙ୍କୁ ନେଇ ଆସୁଥିଲା। ବିଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଭାରତ ସରକାର “ବନ୍ଦେ ଭାରତ” ଜରିଆରେ ଭାରତୀୟଙ୍କୁ ସ୍ୱଦେଶ ଆଣୁଛନ୍ତି। ହେଲେ ଘର ପହଞ୍ଚିବା ପୂର୍ବରୁ ବିମାନ ବନ୍ଦରରେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ।

Leave A Reply

Your email address will not be published.

fifteen + 20 =

error: Content is protected !!
Open chat