କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬:ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ଆକ୍ରମଣ ଓ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ପାର୍କିଂକୁ କେନ୍ଦ୍ର କରି ମହିଳା ପୁଲିସଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଖଣ୍ଡଗିରି ଗେଷ୍ଟ ହାଉସ୍ର ମାଲିକ ସୌରଭ ଦାସଙ୍କୁ ଗିରଫ କରିଛି। ସୌରଭଙ୍କ ନାଁରେ ଅଭିଯୋଗ ଆସିଛି ଯେ, ମହିଳା ପୁଲିସ ଇନ୍ସପେକ୍ଟର ଆଶ୍ରିତା ଖାଲ୍କେଙ୍କୁ ଗୋଇଠା ମାରିବା ସହ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିଥିଲେ। ମହିଳା ଇନ୍ସପେକ୍ଟର ପୁଲିସ କର୍ମଚାରୀ କହିବା ପରେ ମଧ୍ୟ ଅଭିଯୁକ୍ତ ତାତ୍ସଲ୍ୟ କରିଥିଲେ। ସେ କହିଥିଲେ, ଆମେ ଏମିତି କେତେ ଇନ୍ସପେକ୍ଟର ଦେଖିଆସିଛୁ।
ଭିଡ଼ ଭିତରେ ଏଭଳି ବ୍ୟବହାର ସହ ଆକ୍ରମଣ ସମ୍ପୃକ୍ତ ମହିଳା ଇନ୍ସପେକ୍ଟରଙ୍କୁ କେବଳ ଶାରୀରିକ ନୁହେଁ, ବରଂ ମାନସିକ ଆଘାତ ଦେଇଛି। ନିଜ ଅସୁସ୍ଥ ସ୍ୱାମୀଙ୍କୁ ମେଡିକାଲ ନେବେ କଣ, ସେ ଖଣ୍ଡଗିରି ଥାନାର ଦ୍ଵାରସ୍ଥ ହୋଇଥିଲେ। ପୁଲିସ ଗେଷ୍ଟ ହାଉସ୍ ମାଲିକ ସୌରଭ ଦାସଙ୍କୁ ତୁରନ୍ତ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟତମ ଅଭିଯୁକ୍ତ ଜଣେ କାର୍ ଚାଳକ ଫେରାର ହୋଇଯାଇଛି। ତାକୁ ଖୋଜା ଚାଲିଛି ବୋଲି ଖଣ୍ଡଗିରି ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମହିଳା ଇନ୍ସପେକ୍ଟର ଜଣକ ରାୟଗଡ଼ା ଏସ୍ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ସ୍ୱାମୀ ଅସୁସ୍ଥ ଥିବାରୁ ମେଡିକାଲ କାମରେ ସେ ଭୁବନେଶ୍ୱର ଆସିଛନ୍ତି।