ପୁଣି ଆଉ ଏକ ବଡ଼ ଋଣ ଘୋଟାଲାର ପର୍ଦାଫାସ : ୨ଟି ବ୍ୟାଙ୍କରୁ ‘କକ୍ସ ଆଣ୍ଡ କିଙ୍ଗ୍ସ’ ଠକିଛି ୧,୨୦୪ କୋଟି ଟଙ୍କା – ତଦନ୍ତ ଆରମ୍ଭ
ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : କୋଟାକ ମହିନ୍ଦ୍ରା ଓ ଏକ୍ସିସ୍ ବ୍ୟାଙ୍କ ଟ୍ରାଭେଲ୍ କମ୍ପାନି କକ୍ସ ଆଣ୍ଡ କିଙ୍ଗ୍ସ ଲିମିଟେଡ ବିରୋଧରେ ୨ଟି ପୃଥକ୍ ଠକେଇ ଅଭିଯୋଗ ଆଣିଛନ୍ତି । କକ୍ସ ଆଣ୍ଡ କିଙ୍ଗ୍ସ ଲିମିଟେଡ୍ ବିରୋଧରେ ଆସିଛି ୧,୨୦୪ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ । ଅଭିଯୋଗ ପରେ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏହି ଅଭିଯୋଗ ଆଧାରରେ କମ୍ପାନି ବିରୋଧରେ ପ୍ରାଥମିକ ତଦନ୍ତ ଚାଲିଛି । ଏବେ କୋଟାକ ମହିନ୍ଦ୍ରା ବ୍ୟାଙ୍କ କହିଛି ଯେ ୨୦୧୨ ପରଠାରୁ ଏହା କକ୍ସ ଆଣ୍ଡ କିଙ୍ଗ୍ସକୁ ଋଣ ସହାୟତା ଯୋଗାଇ ଆସୁଥିଲା ।
ପୂର୍ବରୁ କକ୍ସ ଆଣ୍ଡ କିଙ୍ଗ୍ସ ବିରୋଧରେ ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ୨୩୯ କୋଟି ଟଙ୍କାର ଋଣ ଖିଲାପ ଅଭିଯୋଗ ଆଣିଥିଲା । ୨୦୧୯ ଜୁନ୍ ୨୪ ସୁଦ୍ଧା କମ୍ପାନି ଉପରେ ୧୭୪.୩ କୋଟି ଟଙ୍କା ବକେୟା ରହିଛି । ଅଭିଯୋଗ ମୁତାବକ, ଏହି ଟ୍ରାଭେଲ୍ କମ୍ପାନି ନିଜର ସହଯୋଗୀ ସଂସ୍ଥା ଓ ଅଫ୍ସୋର୍ କମ୍ପାନି ଜରିଆରେ ଅନେକ ଆର୍ଥିକ କାରବାର କରିଛି ଏବଂ ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ ଓ ସର୍ବସାଧାରଣ ନିବେଶକଙ୍କର ବହୁ ଅର୍ଥ ହଡ଼ପ କରିଛି । ଅପରପକ୍ଷରେ କକ୍ସ ଆଣ୍ଡ କିଙ୍ଗ୍ସର ନିର୍ଦ୍ଦେଶକ ତଥା ଗ୍ରୁପ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ପିଟର କେରକର୍ ଏହାକୁ ଏକ ନିୟମିତ ଯାଞ୍ଚ ବୋଲି ଅଭିହିତ କରିଛନ୍ତି ।
କକ୍ସ ଆଣ୍ଡ କିଙ୍ଗ୍ସ ଋଣ ପରିଶୋଧରେ ଖିଲାପ କରିବା ପରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏହାର ଯାଞ୍ଚ ପାଇଁ ପ୍ରାଇସ୍ୱାଟରହାଉସ୍କୁ ଫରେନ୍ସିକ୍ ଅଡିଟ୍ ଭାବେ ନିଯୁକ୍ତ କରିଛି । ପ୍ରାଇସ୍ୱାଟରହାଉସ୍ ଦେଇଥିବା ୨ଟି ଚିଠା ରିପୋର୍ଟରେ ଟ୍ରାଭେଲ୍ କମ୍ପାନିର ଅଧିକାରୀଙ୍କ ଦ୍ୱାରା ଅର୍ଥ ହେରଫେର ହୋଇଥିବା ସ୍ପଷ୍ଟ ହୋଇଛି । ଅପରପକ୍ଷରେ ଏକ୍ସିସ୍ ବ୍ୟାଙ୍କ ନିଜ ଅଭିଯୋଗରେ କହିଛି, କକ୍ସ ଆଣ୍ଡ କିଙ୍ଗ୍ସର କେତେକ ବରିଷ୍ଠ ଅଧିକାରୀ ଓ ସହଯୋଗୀ ସଂସ୍ଥା ବ୍ୟାଙ୍କ ନିକଟରୁ ୧,୦୩୦ କୋଟି ଟଙ୍କାର ଋଣ ନେଇଛନ୍ତି ଏବଂ ଏହାକୁ ପରିଶୋଧ କରୁନାହାନ୍ତି ।
ଏହି ସମସ୍ତ ପାର୍ଟିର ଗୋଟିଏ ଠିକଣା ରହିଥିବା ବେଳେ ଏସବୁକୁ କକ୍ସ ଆଣ୍ଡ କିଙ୍ଗ୍ସର ସିଷ୍ଟମରୁ ଗୋଟିଏ ଦିନରେ ହିଁ ତିଆରି କରାଯାଇଛି । ସେହିଭଳି ଉକ୍ତ ଠିକଣାରେ କୌଣସି ପାର୍ଟି ନ ଥିବା ଦେଖିବାକୁ ମିଳିଛି । ପୁଲିସ୍ ସୂଚନା ମୁତାବକ, ପ୍ରଥମ ଚିଠା ରିପୋର୍ଟରେ ଦର୍ଶାଯାଇଛି ଯେ ୧୫ଟି ପାର୍ଟି ଜରିଆରେ ୪୪୯ କୋଟି ଟଙ୍କା ଗ୍ରହଣ ହୋଇଛି । ଉଭୟ ମାମଲାରେ ବର୍ତ୍ତମାନ ସୁଦ୍ଧା ଏଫ୍ଆଇଆର୍ ପଞ୍ଜୀକୃତ ହୋଇନାହିଁ ।